ଜୟପୁର: ଜୟପୁର ଟାଉନଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ବାଇକରେ ଉଠାଇ ନେଇ ମାଡମାରି ଟଙ୍କା ଲୁଟ କରିଥିବା ମାମଲାରେ ପୁଲିସ ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି ୮୧ ଅଞ୍ଚଳର ଭୋଳା ସରକାରଙ୍କ ଠାରୁ ଲୁଟ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ଦେଇଥିଲେ। ମାମଲା ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୋବାଇଲ, ୧୬ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଜୟପୁର ସଦରଥାନା ଅନ୍ତର୍ଗତ ବାର୍ଲାହାଣ୍ଡି ଅଞ୍ଚଳର ସୁରେଶ ହରିଜନ (୨୭), ବିକ୍ରମ ହରିଜନ (୨୪) ଓ ବାଲାଜି ହରିଜନ (୩୦)। ଏହି ଅଭିଯୁକ୍ତନାମରେ ପୂର୍ବରୁ ଡକାୟତି ମାମଲା ରହିଥିବା ନେଇ ତଦନ୍ତ ଅଧିକାରୀ ଏସ୍ଆଇ ଆର୍. କିଣ୍ଡୋ ପ୍ରକାଶ କରିଛନ୍ତି।
ପୁଲିସ କହିବାନୁଯାୟୀ, ଭୋଳା ସରକାର ବାଇକ କିଣିବା ପାଇଁ ଗତ ୧୯ ତାରିଖ ଦିନ ଜୟପୁରକୁ ବସ୍ରେ ଆସଥିଲେ। ଭୋର ସାଢ଼େ ୩ଟାରେ ବସ୍ଷ୍ଟାଣ୍ଡରେ ଓହ୍ଲାଇ ସେଠାରେ ଶୋଇପଡିଥିଲେ। ସକାଳୁ ଉଠି ଦେଖିବା ବେଳକୁ ତାଙ୍କର ପର୍ସ ଓ ଜୋତା ଚୋରି ହୋଇଯାଇଛି। ପର୍ସରେ ସେ ୧୦ ହଜାର ଟଙ୍କା ନପାଇ ତାହାକୁ ଚାରିଆଡେ ଖୋଜିଥିଲେ କିନ୍ତୁ ପାଇନଥିଲେ। ସେ ଜୋତା କିଣିବା ପାଇଁ ଜୟପୁର ମୁଖ୍ୟ ରାସ୍ତା ଆଡକୁ ଯାଇଥିଲେ, କିନ୍ତୁ ସକାଳୁ ଜୋତା ଦୋକାନ ଖୋଲା ନଥିବାରୁ ଜଳଖିଆ ଖାଇଲେ ଓ ସେଲୁନ୍ରେ ଚୁଟି କାଟି ଅନଲାଇନ୍ରେ ଟଙ୍କା ଦେଇଥିଲେ। ଚପଲ କିଣିବା ପାଇଁ ସ୍ଥାନୀୟ ତହସିଲ ଛକରେ ଠିଆ ହୋଇଥିବା ବେଳେ ଲୁଟ କରିଥିବା ଦୁର୍ବୃତ୍ତମାନେ ତାଙ୍କୁ ଠିଆ ହେବାର କାରଣ ପଚାରିଥିଲେ। ଦୁଇ ଜଣ ଭୋଳାକୁ ଜୋରଜବରଦସ୍ତ ବାଇକରେ ବସାଇ ଭୂତନାଥମନ୍ଦିର ନିକଟରେ ଥିବା ଜଙ୍ଗଲକୁ ନେଇଥିଲେ। ଏହି ଦୁର୍ବୃତମାନଙ୍କ ୫ ଜଣ ସହଯୋଗୀ ସେଠାକୁ ଆସିଥିଲେ। ୭ ଜଣ ମିଶି ଭୋଳାକୁ ଗଛରେ ବାନ୍ଧି ତାଙ୍କଠାରୁ ମୋବାଇଲ୍ ଛଡାଇ ଫୋନପେ ର ପାସ୍ୱାର୍ଡ ମାଗି ଅନ୍ଲାଇନରେ ଆକାଉଣ୍ଟରୁ ୨୭,୫୦୦ ଟଙ୍କା ଟ୍ରାନ୍ସଫର୍ କରି ନେଇଯାଇଥିଲେ। ସେ ଭିତରେ ଭୋଳା ସେମାନଙ୍କ କବଳରୁ ଖସି ଆସି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୁଲିସକୁ ଖବର ଦେଇଥିଲେ। ତାଙ୍କର ଅଭିଯୋଗକ୍ରମେ ଟାଉନ ଥାନାରେ ୬୬/୨୧ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ଫେରାର ଅଛନ୍ତି। ସେମାନଙ୍କ ଠାରୁ ଚୋରି ହୋଇଥିବା ମୋବାଇଲ୍, ୧୬ ହଜାର ଟଙ୍କା ଓ ୨ଟି ବାଇକ ଜବତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/JPR-Dakayati.jpg)