ଲକ୍ଷ୍ମଣନାଥରୁ ୩ ଗୋରୁଗାଡ଼ି ଜବତ

ଜଳେଶ୍ବର: ଜଳେଶ୍ବର ପୁଲିସ ଆଜି ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥରୁ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ବୋଝେଇ କରି ନେଉଥିବା ୩ଟି ଟ୍ରକ ଜବତ କରିଛି। ଗୋରୁଗୁଡ଼ିକୁ ବାଲେଶ୍ବରସ୍ଥିତ ଏକ ଗୋଶାଳାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଗତକାଲି ରାତିରେ କଟକରୁ ପାଖାପାଖି ୪୦ରୁ ଊର୍ଦ୍ଧ୍ବ ଟ୍ରକରେ ଗୋରୁ ବୋଝେଇ ହୋଇ କୋଲକାତା ଅଭିମୁଖେ ଯାଉଥିଲା। ତେବେ ଆଶ୍ଚର୍ଯ୍ୟର କଥା ଜଳେଶ୍ବର ଥାନା ଅଧୀନସ୍ଥ ରାଜଘାଟ ନାକା ପଏଣ୍ଟ ନିକଟରେ ଗାଡ଼ିଗୁଡ଼ିକୁ ବିନା ଯାଞ୍ଚରେ ଛାଡ଼ି ଦିଆଯାଇଥିଲା। କିନ୍ତୁ ଏହି ଟ୍ରକଗୁଡ଼ିକୁ ପଶ୍ଚିମବଙ୍ଗ ପୁଲିସ ସୀମାନ୍ତ ନିକଟରେ ଅଟକାଇ ଯାଞ୍ଚ କରିବା ପରେ ଜଣା ପଡ଼ିଥିଲା ଟ୍ରକଗୁଡ଼ିକ କୋଲକାତାସ୍ଥିତ କଂସେଇ ଖାନାକୁ ଯାଉଛି। ପଶ୍ଚିମବଙ୍ଗ ପୁଲିସ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ପାଇଁ ସେଠାରେ ଗୋହତ୍ୟା ଓ ଗୋମାଂସ ଉତ୍ପାଦନ ଉପରେ ରୋକ ଲଗା ଯାଇଥିବାରୁ ଗୋରୁ ବୋଝେଇ ଟ୍ରକଗୁଡ଼ିକୁ ପଶ୍ଚିମବଙ୍ଗ ଭିତରକୁ ନ ଛାଡ଼ି ଓଡ଼ିଶାକୁ ଫେରାଇ ଦେଇଥିଲା। ଏ ସମ୍ପର୍କରେ ଜଳେଶ୍ବର ପୁଲିସ ଖବର ପାଇ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ନିକଟରେ ୩ଟି ଟ୍ରକକୁ ଅଟକାଇବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟଗୁଡ଼ିକ ଚମ୍ପଟ ମାରିଥିଲେ। ଅଟକ ଟ୍ରକଗୁଡ଼ିକର ନମ୍ବର ହେଉଛି ଓଆର ୧୫ ୦୯୬୭୧, ଓଆର ୦୫ ୱାଇ ୦୨୮୬ ଏବଂ ଓଆର ୦୯ଏଲ ୨୨୦୭।

ପୁଲିସ ଏହି ଟ୍ରକ ସହ ଗୋରୁଗୁଡ଼ିକୁ ଜବତ କରି ବାଲେଶ୍ବରର ଏକ ଗୋଶାଳାକୁ ପଠାଇଥିବା ବେଳେ ଉଦ୍ଧାର ଗୋରୁଙ୍କ ସଂଖ୍ୟା ୧୫୦ରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ତେବେ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବେ ଖୁନ୍ଦାଖୁନ୍ଦି କରି ଗୋରୁଗୁଡ଼ିକୁ ଓଡ଼ିଶାରୁ ନିୟମିତ ଚାଲାଣ ହେଉଥିଲେ ମଧ୍ୟ ନାକା ପଏଣ୍ଟରେ ନିୟୋଜିତ ପୁଲିସ କର୍ମଚାରୀ ତାହା କିପରି ଜାଣି ପାରୁ ନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର