ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ; ଗୋତି ଖଟୁଛନ୍ତି ୩ ଶିଶୁ ଭାଇଭଉଣୀ!

ବୃଦ୍ଧା ଆଈଙ୍କ ଖାତାରୁ ମାଲିକ ଉଠାଇ ନେଇଛି ଟଙ୍କା

ସୁନ୍ଦରଗଡ଼: ପିଣ୍ଟୁ, ତିନ୍ତୁସ ଓ ବର୍ଷା। ତିନି ଭାଇଭଉଣୀ, ବୟସ ୭ରୁ ୧୧ ଭିତରେ। ଏକ ଲୋମହର୍ଷକ ଘଟଣାକ୍ରମରେ ବାପାମାଙ୍କୁ ହରାଇ କଅଁଳ ବୟସରେ ଜିଉଁଛନ୍ତି ଛେଉଣ୍ତ ଜୀବନ। ସବୁଠାରୁ ସମ୍ବେଦନଶୀଳ ଓ ମର୍ମଭେଦୀ କଥାଟି ହେଲା, ଖେଳକୁଦରେ ମାତିବା ଓ ବହିବସ୍ତାନି ଧରି ସ୍କୁଲ ଯିବା ବୟସରେ ତିନି ଭାଇଭଉଣୀ ପର ଘରେ ଗୋତି ଖଟୁଛନ୍ତି। ବୃଦ୍ଧ ଅଜା ଓ ଆଈ ଆଉ କାମକୁ ପାରୁ ନଥିବା ବେଳେ ତିନି ଛେଉଣ୍ଡ ଛୁଆଙ୍କ ମୁହଁକୁ ଦି’ ଓଳି ଦି’ ମୁଠା ଅନ୍ନ ଦେବା ସମ୍ଭବ ହେଉ ନାହିଁ। ତେଣୁ ସେମାନଙ୍କୁ ନିଜ ଫଟା ଭାଗ୍ୟ ନେଇ ବଞ୍ଚିବାକୁ ଛାଡ଼ି ଦେଇଛନ୍ତି।

ଭୋକ ବେଳେ ଅଜା ଆଣିଥିବା ଟଙ୍କା ପରିଶୋଧର ଭାର ତିନି ପିଲାଙ୍କ କଅଁଳ କାନ୍ଧରେ ପଡ଼ିଛି। ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ କଡ଼ା ଆଇନ ପ୍ରଣୟନ ହେବାର ୪୫ ବର୍ଷ ପରେ ମଧ୍ୟ ଏପରି ଶୋଷଣ ଓ କୁତ୍ସିତ ପ୍ରଥାର କରୁଣ ଚିତ୍ରଟି ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଧୁବେନଦାଣ୍ଡ ପତେଲକାନି ଗାଁରୁ। ବଡ଼ କଥା ହେଲା, ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅବଗତ ଥିଲେ ମଧ୍ୟ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି। ଗାଁର ତେଲେଶ୍ବର ଟପ୍ନୋ ଓ ତାଙ୍କ ପତ୍ନୀ ବେର୍ଣ୍ଣା, ଦୁଇ ପୁଅ ଜେମସ, ନିର୍ଦ୍ଦୋଷକୁ ନେଇ ଥିଲା ତାଙ୍କ ପରିବାର। ଜଙ୍ଗଲ ଜମିରେ ଘର, ଚାଷବାସ କରି ଚଳୁଥିଲେ।

ଦୁଇ ପୁଅଙ୍କ ପାଇଁ ବୋହୂ ଆଣିବା ପରେ ୭ ନାତିନାତୁଣୀ ସହ ବଢ଼ି ଯାଇଥିଲା ତାଙ୍କ ପରିବାର। କିନ୍ତୁ ଗରିବ କୁଡ଼ିଆରେ ଏତେ ବଡ଼ ପରିବାର ପାଇଁ ସବୁବେଳେ ନିଅଣ୍ଟ ପଡ଼ୁଥିଲା ଅନ୍ନ ଓ ଆଶ୍ରୟ। ୫ ବର୍ଷ ତଳେ ଏକ ଲୋମହର୍ଷକ ଘଟଣାକ୍ରମରେ ବଡ଼ ପୁଅ ଜେମସ କୌଣସି କାରଣରୁ ନିଜ ପତ୍ନୀକୁ ହତ୍ୟା କରି ଜେଲ୍ ଗଲା। ଜେଲରୁ ଫେରିବା ପରେ ତା’ର ମାନସିକ ବିକୃତି ଘଟିଥିଲା। ଘରେ ଉତ୍ପାତ କଲା। ଯାହା ଅସହ୍ୟ କଲା ସାନ ଭାଇ ନିର୍ଦ୍ଦୋଷକୁ। ଦିନେ ଏକ ଅଶୁଭ ସମୟରେ ଜେମସକୁ ହତ୍ୟା କରି ସେ ବି’ ଜେଲ୍ ଚାଲିଗଲା। ଏବେ ସେ ଜେଲ୍ରେ, ତା’ର ମଧ୍ୟ ମାନସିକ ବିକୃତି ଘଟିଥିବା ସୂଚନା ମିଳିଛି।

ଏ ଦୁଇ ଘଟଣା ପୂରା ପରିବାରକୁ ଉଜାଡ଼ି ଦେଇଥିଲା। ନିର୍ଦ୍ଦୋଷ ଜେଲ୍ ଯିବା ପରେ ତା’ ପତ୍ନୀ ଚାରି ଛୁଆଙ୍କୁ ନେଇ ବାପ ଘରକୁ ଚାଲିଗଲେ। ଘରେ ରହିଲେ କେବଳ ବୃଦ୍ଧ ତେଲେଶ୍ବର ଓ ପତ୍ନୀ ବେର୍ଣ୍ଣାଙ୍କ ସହ ଜେମସଙ୍କ ୩ ଛେଉଣ୍ଡ ଛୁଆ ପିଣ୍ଟୁ, ତିନ୍ତୁସ ଓ ବର୍ଷା। ପରିବାରର ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହେବା ପରେ ସୁନ୍ଦରଗଡ଼ର ଜଣେ ସମାଜସେବୀ ୩ ଛୁଆଙ୍କୁ ୩ ବର୍ଷ ତଳେ ଟାଙ୍ଗରପାଲି ବ୍ଲକର ମେଘଡେଗା ଆଦିବାସୀ କଲ୍ୟାଣ ଆଶ୍ରମରେ ନାମ ଲେଖାଇ ଦେଇଥିଲେ। ସେଠାରେ ସେମାନେ ଠିକଠାକ ପଢ଼ାପଢ଼ି କଲେ। କିନ୍ତୁ ବର୍ଷେ ପରେ ୩ ଭାଇଭଉଣୀ ସେଠାରୁ ଘରକୁ ଫେରିଆସିଲେ। ଘରେ କିନ୍ତୁ ଖାଇବାକୁ ଖାଦ୍ୟ ନଥିଲା। ଠିକ୍ ଏହି ସମୟରେ ତେଲେଶ୍ବରଙ୍କ ନାମରେ ମଞ୍ଜୁର ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ। ସେ ନିଜେ ତିଆରି କରିବା ସମ୍ଭବ ନହେବାରୁ ପାଖ ଗାଁ ପୁଟୁଡିହିର ଜଣେ ଠିକାଦାର ସେ ଦାୟିତ୍ବ ନେଇଥିଲା।

ଏହି ସୁଯୋଗରେ ତେଲେଶ୍ବରଙ୍କ ଆବାସ ଟଙ୍କା ସହ ବୃଦ୍ଧା ବେର୍ଣ୍ଣାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୧୨ ହଜାର ଟଙ୍କା ତାଙ୍କ ଅଜଣାତରେ ଉଠାଇ ନେଇ ଯାଇଥିଲା। ତେବେ ଏହା ମଧ୍ୟରେ ତେଲେଶ୍ବର ଠିକାଦାର ଠାରୁ କିଛି କିଛି ଟଙ୍କା ନେଇଥିଲେ। କିନ୍ତୁ ଫେରାଇ ପାରି ନଥିଲେ। ତା’ ବଦଳରେ ଠିକାଦାର ୩ ଛୁଆଙ୍କୁ ନେଇ ଯାଇଥିଲା। ଘରେ ଖଟାଇବା ସହ ସେମାନଙ୍କୁ ମୁମ୍ବେଇ ଚାଲାଣ ପାଇଁ ପ୍ରସ୍ତୁତି କରୁଥିଲା। ଏ ସୂଚନା ପାଇ ସୁନ୍ଦରଗଡ଼ର ସମ୍ପୃକ୍ତ ସମାଜସେବୀ ଠିକାଦାରଙ୍କୁ ଭେଟି ତାଗିଦ୍ କରିଥିଲେ। ସେତେବେଳେ ସେ ମୁମ୍ବାଇ ମିସନାରୀ ସ୍କୁଲକୁ ପଠାଇବାକୁ ଚାହୁଥିବା ପ୍ରକାଶ କରି ଅଭିଯୋଗକୁ ଏଡ଼ାଇ ତିନି ଛୁଆଙ୍କୁ ତେଲେଶ୍ବରଙ୍କୁ ଫେରାଇ ଦେଇଥିଲା।

ଏହା ମଧ୍ୟରେ ରାପଟଯୋରର ଅନ୍ୟ ୩ ଜଣ ବ୍ୟକ୍ତି ତିନି ଛୁଆଙ୍କୁ ନେଇ ଘର କାମରେ ନିୟୋଜିତ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଠାରୁ ଅଜା ତେଲେଶ୍ବର ଟଙ୍କା ଆଣିଥିବା ଅଭିଯୋଗ ରହିଛି। କିନ୍ତୁ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ତେଲେଶ୍ବର। ମାସିକ ୮ ହଜାର ଟଙ୍କା ଦେବୁ କହି ପିଲାଙ୍କୁ ନେଇଛନ୍ତି, କିନ୍ତୁ ବର୍ଷେ ପରେ ବି ଟଙ୍କାଟେ ଦେଇ ନଥିବା ସେ ପ୍ରକାଶ କରିଛନ୍ତି। ଘଟଣାଟି ଅତି ସମ୍ବେଦନଶୀଳ ଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଗୋତି ପ୍ରଥା ଉଚ୍ଛେଦ ଓ ଶିଶୁ ଶ୍ରମିକ ଆଇନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ୩ ଭାଇଭଉଣୀଙ୍କୁ ଉଦ୍ଧାର କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର