ଜାତୀୟ ଟପ୍ ଟେନରେ କନ୍ଧମାଳ ସ୍ବାସ୍ଥ୍ୟ ବିଭାଗ, ହେଲେ ଡାକ୍ତର ସାଙ୍ଗକୁ କର୍ମଚାରୀ ଅଭାବ

ଭିତ୍ତିଭୂମି ସଜାଡିବାକୁ ନୀତି ଆୟୋଗ ଦେଲା ୩ କୋଟି

ଫୁଲବାଣୀ:କନ୍ଧମାଳରେ ଡାକ୍ତର ସାଙ୍ଗକୁ କର୍ମଚାରୀ ଅଭାବ ରହିଛି। ଏମିତି କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବିଶେଷଜ୍ଞ ପଦବି ଖାଲି ପଡିଛି। ଆଉ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ନାହାନ୍ତି। ଏମିତି କି ଡାକ୍ତରଖାନାକୁ ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ଚଳାଉଛନ୍ତି। ଡାକ୍ତର ଓ କର୍ମଚାରୀ ଅଭାବ ସତ୍ତ୍ବେ ଯଥା ସମ୍ଭବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ହେଲେ କୋଭିଡ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ବଡ ବ୍ୟତିକ୍ରମ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। କାରଣ ୨୧୫ ଡାକ୍ତର ବଦଳରେ ଜିଲ୍ଲାରେ ଅଛନ୍ତି ୧୩୩ ଜଣ। କର୍ମଚାରୀ ପଦବୀ ବି ଅଧା ଖାଲି ପଡିଛି। ତା ସତ୍ତ୍ବେ ସ୍ବାସ୍ଥ୍ୟସେବାରେ ସେମିତି କିଛି ବ୍ୟତିକ୍ରମ ହୋଇ ନାହିଁ।

କୋଭିଡ ସମୟରେ ବି ସ୍ବାସ୍ଥ୍ୟସେବାରେ ଅବହେଳା କେଉଁଠି ହୋଇ ନାହିଁ। ଏଥି ନିମନ୍ତେ ସର୍ବଭାରତୀୟ ସ୍ତରରେ ଡେଲଟା ରାଙ୍କରେ ରହିଛି କନ୍ଧମାଳ ସ୍ବାସ୍ଥ୍ୟ ବିଭାଗ। ନୀତି ଆୟୋଗ ସନ୍ତୋଷ ବ୍ୟକ୍ତ କରିବା ସହ କନ୍ଧମାଳ ସ୍ୱାସ୍ଥ୍ୟ ବିଭାଗକୁ ୩ କୋଟି ଟଙ୍କା ମଂଜୁର କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ପଛୁଆ ଜିଲ୍ଲାକୁ ଆଗୁଆ କରିବା ଲକ୍ଷ୍ୟରେ ନୀତି ଆୟୋଗଙ୍କ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଡେଲଟା ରାଙ୍କିଙ୍ଗ ପଦ୍ଧତି ଅବଲମ୍ବନ କରାଯାଇଛି। ଶିକ୍ଷା,ସ୍ବାସ୍ଥ୍ୟ,କୃଷି,ଜଳସେଚନ ଓ ବୈଷୟିକ ଶିକ୍ଷାକୁ ମାନଦଣ୍ଡ ଭାବେ ଧରା ଯାଇଥିଲା। ଏହି ତାଲିକାରେ ସର୍ବଭାରତୀୟ ସ୍ତରରେ ୧୨୭ଟି ଜିଲ୍ଲାକୁ ସାମିଲ କରାଯାଇଥିଲା।

ଏଥିରେ ଓଡିଶାରୁ ୧୦ ଜିଲ୍ଲା ଥିବା ବେଳେ ସେଥି ମଧ୍ୟରୁ କନ୍ଧମାଳ ଅନ୍ୟତମ। ଗତ ଅଗଷ୍ଟ ମାସରେ କୋଭିଡର ଘଡିସନ୍ଧି ସମୟରେ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସବୁ ପ୍ରକାର ଉଦ୍ୟମ କରିଥିଲା। ଏଥି ନିମନ୍ତେ ଜାତୀୟ ଟପ ଟେନ ତାଲିକାରେ କନ୍ଧମାଳ ସ୍ବାସ୍ଥ୍ୟ ବିଭାଗ ଯୋଡି ହୋଇଥିଲା। ଜାତୀୟ ଟପ ଟେନ ୨ ନମ୍ବର ରାଙ୍କରେ କନ୍ଧମାଳ ରହିଥିବା ବେଳେ ଅଭାବ ଭିତ୍ତିଭୂମି ସଜାଡିବା ନିମନ୍ତେ ନୀତି ଆୟୋଗ ୩ କୋଟି ଟଙ୍କା ମଂଜୁର କରିଛନ୍ତି। ଏହି ଅର୍ଥ ସ୍ବାସ୍ଥ୍ୟସେବାରେ ଆହୁରି ଅଧିକ ଉନ୍ନତି ଆଣିବା ନିମନ୍ତେ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି।

ନୀତି ଆୟୋଗ ପକ୍ଷରୁ ମଂଜୁର ଅର୍ଥରେ ଭିତ୍ତିଭୂମି ନିର୍ମାଣ ସହ ସଜଡା ଯିବ। ହେଲେ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ଏହା ଯଥେଷ୍ଟ ନୁହେଁ। ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯେଗାଇ ଦେବା ପାଇଁ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ରହିବା ଦରକାର। ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ନିଯୁକ୍ତ ହେଲେ ଆଉ ରୋଗୀମାନଙ୍କୁ କଟକ,ଭୁବନେଶ୍ବର ଓ ବ୍ରହ୍ମପୁରକୁ ଯିବାକୁ ପଡନ୍ତା ନାହିଁ। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର