ରେଡକ୍ରସ ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ: ‘ସେବା ନିଜ ପରିବାର ଓ ଅନୁଷ୍ଠାନରୁ ଆରମ୍ଭ ହେଉ’ 

ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ପକ୍ଷରୁ ଚାଳିଥିବା ତ୍ରି-ଦିବସୀୟ କ୍ଲଷ୍ଟର ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ଯୋଗଦେଇ ସ୍ବେଚ୍ଛାସେବୀମାନେ ନିଜ ସେବା କାର୍ଯ୍ୟ ନିଜ ପରିବାର ଓ ଅନୁଷ୍ଠାନରୁ ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରେଡକ୍ରସ କାଉନସିଲ ସଂପାଦକ ଡ.ପ୍ରକାଶ ପ୍ରଧାନ ଯୋଗ ଦେଇ ରେଡକ୍ରସର ଲକ୍ଷ୍ୟ ଓ ଅଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। କଲେଜର ଅଧ୍ୟକ୍ଷା ଡ.ମନୋରମା ଦେବୀ ସଭାପତିତ୍ବ କରି ସ୍ବେଚ୍ଛାସେବୀମାନେ ସାହାସୀ ଓ କ୍ଷମାଶୀଳ ହୋଇ ସମାଜର କଲ୍ୟାଣରେ ନିଜ ଜୀବନକୁ ଉତ୍ସର୍ଗୀକୃତ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଶିବିରରେ ସରକାରୀ ମହିଳା ମହାବିଦ୍ୟାଳୟ ସହ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଚ୍ଛାସେବୀମାନେ ଭାଗ ନେଇଥିଲେ। ଯୁବ ରେଡକ୍ରସ କାଉନସିଲର ଡ. କନକଲତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ , ଡ.ମନୋରଂଜନ ପ୍ରଧାନ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ.ଡମ୍ବୁରୁଧର ଦାଶ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ଭାଗ ନେଇଥିବା ପ୍ରତିଭାଗୀଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ଚିହ୍ନ ଦିଆଯାଇଥିଲା।

ସମ୍ବନ୍ଧିତ ଖବର