ଚେପଟାମ୍ବରେ ବାଇକ୍‌ ଦୁର୍ଘଟଣା: ୩ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଜମନକିରା: ଜମନକିରା ଥାନା ଅନ୍ତର୍ଗତ ଚେପଟାମ୍ୱ ଘାଟି ପାଖରେ ସନ୍ଧ୍ୟା ୭ଟାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘାଟିରେ ଏକ ଅନ୍ଧାରିଆ ସ୍ଥାନରେ ଅଟକି ରହିଥିବା ଟ୍ରଲର୍‌କୁ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବଡ଼ରମା ପଞ୍ଚାୟତ ଟନସରା ଗ୍ରାମର ଅହମ୍ମଦ ଦେହୁରୀ (୪୦), ରାଜେଶ ଦେହୁରୀ (୩୦) ଏବଂ ତିଲୁ ଦେହୁରୀ (୨୦)। ଦୁର୍ଘଟଣା ପରେ ପୂର୍ବତନ ସମିତି ସଭ୍ୟ ଦୁଷ୍ମନ୍ତ ପ୍ରଧାନ ଓ ବିଜେଡି ନେତା ସରୋଜ ପଟେଲଙ୍କ ନେତୃତ୍ୱରେ ଆଖପାଖ ଗାଁ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ସମ୍ବଲପୁରରୁ ଏକ ବାଇକ୍ ଯୋଗେ ୩ ଯୁବକ ଘରକୁ ଫେରୁଥିଲେ। ବଡ଼ରମାଠାରୁ ୨ କିମି ଦୂରତା ଯିବା ପରେ ଚେପଟାମ୍ୱ ଘାଟି ପାଖରେ ପୂର୍ବରୁ ଅନ୍ଧାରରେ ଅଟକି ରହି ଥିବା ଟ୍ରଲର (ଏନ୍ଏଲ୍- ୦୧ଏଲ୍- ୪୮୪୧)କୁ ବାଇକ୍ ଆରୋହୀ ପଛ ପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ବାଇକ୍‌ର କିଛି କ୍ଷତି ଘଟି ନଥବା ଦେଖାଯାଇଛି। ସନ୍ଧ୍ୟା ୭ଟା୩୦ ରେ ପୂର୍ବତନ ସମିତି ସଭ୍ୟ ଦୁଷ୍ମନ୍ତ ପ୍ରଧାନ ଏବଂ ସରୋଜ ପଟେଲଙ୍କ ନେତୃତ୍ୱରେ ଆଖପାଖ ଗାଁର ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ତୁରନ୍ତ ୫୦ ହଜାର ଟଙ୍କା କ୍ଷତିପୂରଣ ଓ ପରବର୍ତ୍ତୀ ସମୟରେ ଜଣପିଛା ୧୦ ଲକ୍ଷ ଟଙ୍କା ସରକାରୀ ଆର୍ଥିକ ସହାୟତା ଦେବା, ଏନ୍ଏଚ ୫୩ ଜମନକିରାଠାରୁ ଗୌଡ଼ପାଲି ପର୍ଯ୍ୟନ୍ତ ରାସ୍ତାର ସମ୍ପୂର୍ଣ ମରାମତି ସହ ସମ୍ପ୍ରସାରଣ ଦାବି ଏବହ ଦୁର୍ଘଟଣା ଘଟିଥିବା ଟ୍ରଲର୍‌ ମାଲିକଙ୍କ ନାମରେ ଦୁର୍ଘଟଣା ମାମଲା ରୁଜୁ କରିବା ଦାବିରେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଥିଲେ।

ଖବରପାଇ ଆଇଆଇସି ପ୍ରେମଜିତ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କୁଚିଣ୍ଡା ଉପଜିଲ୍ଲାପାଲଙ୍କ ସହିତ ଆଲୋଚନା କରି ମୃତକଙ୍କୁ ନିଶ୍ଚିତ କ୍ଷତିପୂରଣ ଦିଆଯିବ ବୋଲି କହିବା ସହ ରାସ୍ତାରୋକରୁ ଓହରି ଯିବାକୁ ଅନୁରୋଧ କରିଥିଲେ। ପରେ ଦୁର୍ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଗୋପୀନାଥ ଖାଖା ପହଞ୍ଚି ରାସ୍ତାରୋକରୁ ଓହରି ଯିବାକୁ ବୁଝାଇ ଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ଏନଏଚ୍ ୫୩ ଜମନକିରାରୁ ଗୌଡ଼ପାଲି ପର୍ଯ୍ୟନ୍ତ ରାସ୍ତା ମରାମତି କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ। ଉଭୟ ପାର୍ଶ୍ଵରେ ଅଟକି ରହି ଥିବା ଶହ ଶହ ମାଲବାହୀ ଟ୍ରକ ଯାତାୟାତ ସ୍ଵାଭାବିକ ହୋଇଛି।

ସମ୍ବନ୍ଧିତ ଖବର