ରାୟଗଡ଼ାରେ ଏକ୍ସପ୍ରେସ୍‌ ଇଂଜିନରେ ନିଆଁ: ୩ ରେଳବାଇ କର୍ମଚାରୀ ମୃତ, ୩ ଷ୍ଟେସନ ମାଷ୍ଟର ନିଲମ୍ବିତ

ଆହତମାନଙ୍କୁ ଚିକିତ୍ସା ଯୋଗାଇବାକୁ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଂଜିନ୍‌ରେ ମଙ୍ଗଳବାର ନିଆଁ ଲାଗିବା ଘଟଣାରେ ୩ ଜଣ ରେଳବାଇ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଷ୍ଟେସନ ମାଷ୍ଟର ଚାକିରୀରୁ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ଆହତ ମାନଙ୍କ ଚିକିତ୍ସାରେ ଯେଭଳି ଅବ୍ୟବସ୍ଥା ନହୁଏ ସେ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ରେନ୍‌ରେ ନିଆଁ ଲାଗିବା ଯୋଗୁଁ, ମେଣ୍ଟନାନ୍ସ ଇଂଜିନର ଟେକ୍‌ନିସିଆନ୍‌ ସୁରେଶ, ସିନିୟର ସେକ୍‌ସନ୍‌ ଇଂଜିନିୟର (ଇଲେକ୍ଟ୍ରିକାଲ, ରାୟଗଡ଼ା) ସାଗର ଓ ଟେକନିସିଆନ୍‌ (ଇଲେକ୍ଟ୍ରିକାଲ, ରାୟଗଡ଼ା) ଗୌରୀ ନାଇଡୁଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଘଟଣାଯୋଗୁଁ ଦାୟୀ କୁହାଯାଉଥିବା କେଉଟଗୁଡ଼ା ଷ୍ଟେସନ ମାଷ୍ଟର ଏସ୍‌ ଟପୋ, ସିଙ୍ଗାପୁର ରୋଡ-ଏ କ୍ୟାବିନ୍‌ ଷ୍ଟେସନ ମାଷ୍ଟର ଜୟ ପ୍ରସାଦ ଓ ସିଙ୍ଗାପୁର ରୋଡ ଷ୍ଟେସନ୍‌ ମାଷ୍ଟର ବି ପ୍ରଧାନ ନିଲମ୍ବିତ ହୋଇଛନ୍ତି।

ଟ୍ରେନ୍‌ରେ ୧୪୮ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କର ମଧ୍ୟରୁ କିଛି ଯାତ୍ରୀ ଆହତର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍‌ପିଟାଲ ନିଆଯାଇଥିଲା। ପରେ ଅନ୍ୟ ଏକ ଇଂଜିନ ସାହାଯ୍ୟରେ ଟ୍ରେନ୍‌ର ବଗି ଗୁଡ଼ିକୁ ରାୟଗଡ଼ା ନିଆଯାଇଛି।

ସୂଚନାଯୋଗ୍ୟ, ରାୟଗଡ଼ା ନିକଟ ଗାଦବାଗୁଡ଼ା ଠାରେ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନକୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଧକ୍କା ଦେବାରୁ ଏହି ଘଟଣା ଘଟିଥିଲା। ମୃତଦେହ ଗୁଡ଼ିକ ଉଦ୍ଧାର କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡିବାକୁ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି। ଏହି ୨ଟି ବସ୍‌ କୋରାପୁଟ ଓ ଜଗଦଲପୁରରେ ଯାତ୍ରୀମାନଙ୍କୁ ଛାଡ଼ିବ। ଜିଲ୍ଲାପାଳ, ଏସ୍‌ପି ସମେତ ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ରେ ଟ୍ରେନ୍‌ ନମ୍ବର ୧୮୦୦୫ ହାଓଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନକୁ ଧକ୍କା ଦେଇଥିଲା। ପୂର୍ବତଟ ରେଳପଥର ବିଶାଖାପାଟଣା ଜୋନ୍‌ରୁ ଅଧିକାରୀ ମାନେ ଘଟଣାସ୍ଥଳକୁ ସକାଳ ସୁଦ୍ଧା ପହଂଚିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର