ପୁଣି ବନ୍ଧାହେଲେ ୩ ଜିଏସ୍‌ଟି ଠକ, ରାଉରକେଲାରୁ ୨, କଟକରୁ ଅନ୍ୟ ସହଯୋଗୀ ଗିରଫ

ମାଷ୍ଟର୍‌ମାଇଣ୍ଡ୍‌ ସାମ୍ବାଦିକ ଶିବରାମ ଫେରାର

ରାଉରକେଲା: ଇସ୍ପାତ ସହରରେ ଜିଏସ୍‌ଟି ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ଅର୍ଥ ଠକେଇର ଚେର ବେଶ୍‌ ଲମ୍ବା। ଏହି ଦୁର୍ନୀତିର ଚେର୍‌ କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି; ତା’ର ଥଳକୂଳ ମିଳୁନି। କାରଣ, ନିୟମିତ ବ୍ୟବଧାନରେ ନୂଆ ଜିଏସ୍‌ଟି ଠକେଇ ମାମଲା ନଜରକୁ ଆସିବାରେ ଲାଗିଛି। ଜିଏସ୍‌ଟି ଠକ ବନ୍ଧା ବି ହେଉଛନ୍ତି; କିନ୍ତୁ ଅଧିକାଂଶ ଠକ ଫେରାର ହୋଇ ଆତ୍ମଗୋପନ କରିଛନ୍ତି। ନକଲି କାଗଜପତ୍ର ମାଧ୍ୟମରେ ପ୍ରାୟ ୨୨୦ କୋଟିର ବ୍ୟବସାୟ ଦର୍ଶାଇ ୪୨ କୋଟି ଜିଏସ୍‌ଟି ଠକି ନେବାଭଳି ଆଉ ଏକ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଠକେଇ କରିଥିବା ୩ ଅଭିଯୁକ୍ତଙ୍କୁ କଟକ ସିଟି ଆଣ୍ଡ୍‌ ଜିଏସ୍‌ଟି ଏନ୍‌ଫୋର୍ସ୍‌ମେଣ୍ଟ୍‌ କର୍ତୃପକ୍ଷ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ବାରର ମୂଳ ବାସିନ୍ଦା ତଥା ଛେଣ୍ଡ୍‌ରେ ଭଡ଼ା ଘରେ ରହୁଥିବା ସୌମ୍ୟ ରଞ୍ଜନ ମହାନ୍ତି, ତାଙ୍କ ସାନ ଭାଇ ସ୍ମୃତି ରଞ୍ଜନ ମହାନ୍ତି ଓ ବନ୍ଧମୁଣ୍ଡାର ରାଜୀବ ମିଶ୍ର। ସୌମ୍ୟ ରଞ୍ଜନ ଓ ରାଜୀବଙ୍କୁ ରାଉରକେଲାରୁ ଗିରଫ କରାଯାଇଥିବାବେଳେ ସ୍ମୃତିରଞ୍ଜନଙ୍କୁ କଟକରୁ ଗିରଫ କରାଯାଇଛି। ରାଉରକେଲା ସରକାରୀ ହସପିଟାଲରେ ଦୁଇ ଅଭିଯୁକ୍ତଙ୍କର ମେଡିକାଲ ଟେଷ୍ଟ୍‌ ହେବାପରେ ଜିଏସ୍‌ଟି ଦଳ ସେମାନଙ୍କୁ କଟକ ଅଭିମୁଖେ ନେଇଯାଇଛନ୍ତି। କଟକରେ ତିନି ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରାଯିବାପରେ କୋର୍ଟଚାଲାଣ କରାଯିବବୋଲି ସୂଚନା ମିଳିଛି। ଅପରପକ୍ଷରେ ସ୍ଥାନୀୟ କୋଏଲନଗରରେ ରହୁଥିବା ସମଗ୍ର ଠକେଇର ମାଷ୍ଟର୍‌ ମାଇଣ୍ଡ୍‌ ସାମ୍ବାଦିକ ଶିବରାମ ପାତ୍ର ଏବେ ବି ଫେରାର ଅଛନ୍ତି। ଗତ ମାସେ ହେଲା ଅଭିଯୁକ୍ତ ଶିବରାମଙ୍କୁ ଜିଏସ୍‌ଟି କର୍ତୃପକ୍ଷ ବାରମ୍ବାର ନୋଟିସ୍‌ ଦେଇଚାଲିଥିଲେ ମଧ୍ୟ ସେ ଧରାଛୁଆଁ ଦେଉନାହାନ୍ତି। ପ୍ରକାଶଥାଉକି, ଏଯାବତ୍‌ ରାଉରକେଲାର ୧୨ ଜଣ ଜିଏସ୍‌ଟି ଠକ ବନ୍ଧା ହୋଇସାରିଲେଣି। ପ୍ରାୟ ୮/୧୦ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ସୂଚନା ଅନୁସାରେ, ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ ହେଉଛନ୍ତି ଫେରାର ଅଭିଯୁକ୍ତ ଶିବରାମ। ଚାରି ଅଭିଯୁକ୍ତ, ଶିବରାମ, ସ୍ମୃତି ରଞ୍ଜନ, ସୌମ୍ୟ ରଞ୍ଜନ ଓ ରାଜୀବ ‘ନାୟକ ଏଣ୍ଟରପ୍ରାଇଜେସ୍‌’ ନାଁରେ ଏକ ନକଲି ବ୍ୟବସାୟିକ ସଂସ୍ଥା ଖୋଲିଥିଲେ। ଜାଲ୍‌ କାଗଜପତ୍ର ମାଧ୍ୟମରେ କଟକର ଏକ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ଖୋଲି ପ୍ରାୟ ୨୨୦ କୋଟିର ବ୍ୟବସାୟ ଦର୍ଶାଇଥିଲେ। ଜାଲ୍‌ ଇନ୍‌ଭଏସ୍‌ ମାଧ୍ୟମରେ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ ବାବଦକୁ ପ୍ରାୟ ୪୨ କୋଟି ଟଙ୍କା ଠକି ନେଇଥିଲେ। ଏହି ଠକେଇ ବିଷୟରେ ଅବଗତ ହେବାପରେ କଟକ ଜିଏସ୍‌ଟି କର୍ତୃପକ୍ଷ ଜାଣି ଛାନ୍‌ଭିନ ଆରମ୍ଭ କରିଥିଲା। ରାଉରକେଲାରେ ଅଭିଯୁକ୍ତ ରାଜୀବ ଓ ସୌମ୍ୟ ରଞ୍ଜନଙ୍କୁ ପଚରାଉଚରା କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ସ୍ମୃତିରଞ୍ଜନଙ୍କୁ କଟକରେ ପଚରାଉଚରା କରାଯାଇଥିଲା। ତେବେ ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ ଶିବରାମଙ୍କୁ ହାଜର ହେବାକୁ ଗତ ନଭେମ୍ବର ୨୫ ତାରିଖରେ କୋଏଲନଗର ସ୍ଥିତ ଘର ଓ ହମିରପୁର ନ୍ୟୁ କଣ୍ଟ୍ରାକ୍ଟର କଲୋନି ଠିକଣାରେ ସମନ୍‌ କରାଯାଇଥିଲା। ସେ କିନ୍ତୁ ଏହାର କୌଣସି ଜବାବ ରଖିନଥିଲେ। ଏହାପରେ କର୍ତୃପକ୍ଷ ଆଉ ୫ ଥର(ନଭେମ୍ବର ୨୭, ଓ ୨୮, ଡିସେମ୍ବର ୧, ୨ ଓ ୪ ତାରିଖ) ସମନ୍‌ ଜାରି କରିଥିଲେ। ସବୁଥର ସେ ନୋଟିସକୁ ଏଡ଼ାଇଦେଇଥିଲେ। ସେତେବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ କର୍ତୃପକ୍ଷ ପଚରାଉଚରା ଜାରି ରଖିଥିଲେ। ଏହି ଠକ ଗ୍ୟାଙ୍ଗ କେବଳ ନିଜେ ନକଲି କମ୍ପାନି କରି ଅର୍ଥ ଠକି ନାହାନ୍ତି, ବରଂ ଅନ୍ୟ ଠକଙ୍କ ଏଜେଣ୍ଟ୍‌ ସାଜି ଠକେଇରେ ସାମିଲ ସାଜି ଠକିଥିବା ତଦନ୍ତକାରୀ ଦଳ ଜାଣିବାକୁ ପାଇଛି। ଏହାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର