ଆନନ୍ଦପୁର: ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିବାରୁ ତିନିବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ପରିବାରର ତିନିଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଘସିପୁରା ଥାନା ହାତୀବନ୍ଧା ଗ୍ରାମରେ ଏଭଳି ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆନନ୍ଦପୁର ବ୍ଲକ୍‌ ବାଇଲୋ ପଞ୍ଚାୟତ ହାତୀବନ୍ଧା ଗ୍ରାମର ଶତ୍ରୁଘ୍ନ ଖଟୁଆଙ୍କ ପତ୍ନୀ ମାଳତୀ ଖଟୁଆ (୫୦) ସକାଳ ୬.୧୫ ସମୟରେ ରୋଷେଇ ଘରେ ଗ୍ୟାସ୍‌ ଲଗାଇ ଚା’ କରିବାକୁ ଯାଇଥିଲେ। ଏହା ପୂର୍ବରୁ ଗ୍ୟାସ୍‌ ଲିକ୍ ହୋଇ ସମ୍ପୂର୍ଣ୍ଣ ରୋଷେଇ ଘର ଭର୍ତ୍ତି ହୋଇଯାଇଥିଲା।

Advertisment

ମାଳତୀ ଲାଇଟର ମାରିବା ମାତ୍ରେ ହଠାତ୍ ଚାରିଆଡ଼େ ନିଆଁ ଲାଗି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ପୁଅ ସୁଶାନ୍ତ ଖଟୁଆ (୨୫) ଓ ଝିଅ ସରିତା ଖଟୁଆ ମା’ଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ। ମା’ଙ୍କୁ ଉଦ୍ଧାର କରିବା ସମୟରେ ଉଭୟ ଆହତ ‌ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଳତୀ ଓ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଛି। ଖବରପାଇ ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ତିନବଖରା ଘର ସମେତ ସମସ୍ତ ଆସବବାପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ବିଜେପି ନେତା ଡ. ଶମ୍ଭୁନାଥ ରାଉତ, ମାନସ ବାରିକ, ସୁବାସ ଜେନା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନା ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।