ସମ୍ବଲପୁର: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ଧମା ରେଞ୍ଜରେ ଜଙ୍ଗଲି ବାର୍ହା ଶିକାର ପାଇଁ ଜୀବନ୍ତ ବିଦ୍ୟୁତ୍ ତାର ବିଛାଇଥିବା ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଏହି ଶିକାରୀମାନେ ଧମା ରେଞ୍ଜ ଅନ୍ତର୍ଗତ ସିଲେଟପାଣି ଗାଁ ନିକଟ ଜଙ୍ଗଲରେ ବାର୍ହା ଶିକାର ପାଇଁ ଜୀବନ୍ତ ବିଦ୍ୟୁତ୍ ତାର ବିଛାଇ ଜଗି ରହିଥିଲେ। ବନ ବିଭାଗର ପେଟ୍ରୋଲିଂ ଦଳ ଖବର ପାଇ ଶୁକ୍ରବାର ମଧ୍ୟରାତ୍ରିରେ ସେମାନଙ୍କୁ ସେହି ଜଙ୍ଗଲ ଭିତରୁ ଧରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ଧମା ଥାନା ଅନ୍ତର୍ଗତ ଆମକୁନି ଗାଁର ରାକେଶ କୁଜୁର, ବିଜୟ ବାଗ ଏବଂ ସେହି ଥାନା ଅନ୍ତର୍ଗତ ଡକରା ଗାଁର ଯଶମନ ଲାକ୍ରା। ସମସ୍ତଙ୍କୁ ବନ୍ୟପ୍ରାଣୀ ଆଇନ୍ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବିଦ୍ୟୁତ୍ ଆଇନ୍ ବଳରେ ବି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଦ୍ୟୁତ୍ ବିଭାଗକୁ ଅନୁରୋଧ କରା ଯାଇଥିବା ସମ୍ବଲପୁର ବନଖଣ୍ଡ ଅଧିକାରୀ ଏନ୍ ବିଶ୍ବନାଥ ସୂଚନା ଦେଇଛନ୍ତି।