ଧଉଳିର ଭୋଜିସ୍ଥଳରେ ଗଣ୍ଡଗୋଳ, ୩ ଆହତ

ଧଉଳି: ଧଉଳି ଶାନ୍ତିସ୍ତୂପ ନିକଟସ୍ଥ ଏକ ଘରୋଇ ଭୋଜି ସଂରକ୍ଷିତ ସ୍ଥାନରେ ଭୀଷଣ ଗଣ୍ଡଗୋଳ ହୋଇଛି । ଭୋଜିପିଣ୍ଡି ଭଡ଼ା ବାବଦ ଟଙ୍କା ଚଢ଼ାରେ ନେବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଭୋଜି ଜାଗା ଭଡ଼ା ଦେଉଥିବା ମାଲିକଙ୍କ କିଛି ସମର୍ଥିତ ଯୁବକ ଓ ଭୁବନେଶ୍ବରରୁ ଆସିଥିବା ଏକ ପିକନିକ ଦଳର ଯୁବକମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଛନ୍ତି । ପିକନିକ ଦଳର ଯୁବକ ଦ୍ବୟ ଗୁରୁତର ଆହତ ହୋଇଛନ୍ତି ।

ଭୋଜିସ୍ଥଳରେ ଥିବା ଡଙ୍କି, ଜାଲଚଟୁ, ଲୁହାଖରିକା ଓ ବାଡ଼ିରେ ପରସ୍ପର ପରସ୍ପରରକୁ ଆକ୍ରମଣ କରିଥିଲେ । ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏତିକିରେ ଜାଗା ମାଲିକଙ୍କ ସମର୍ଥିତ ଯୁବକମାନଙ୍କ ରାଗ ଥମିନଥିଲା । ଉତ୍ତ୍ୟକ୍ତ ଯୁବକମାନେ ପିକନିକ ଦଳ ଆସିଥିବା କାର ଗ୍ଲାସକୁ ଭାଙ୍ଗି ଦେଇଥିଲେ । ଖବର ପାଇ ଧଉଳି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ।

ଏହା ସହ ଗଣ୍ଡଗୋଳକାରୀ ଯୁବକମାନଙ୍କୁ ଥାନାକୁ ନେଇ ଅଟକ ରଖିଥିଲା । ପରେ ଉଭୟ ପକ୍ଷଙ୍କ ଭିତରେ ଆପୋଷ ସମାଧାନ ହେବା ପରେ ସେମାନଙ୍କୁ ଛାଡ଼ି ଦେଇଥିଲା । ପ୍ରାପ୍ତ ସୂଚନାନୁଯାୟୀ ଲକ୍ଷ୍ମୀସାଗର, ବଡ଼ଗଡ଼ ଏବଂ ୟୁନିଟ ୬ର ଯୁବକମାନେ ଭୋଜି କରୁଥିଲେ । ଖାଇ ସାରିବା ପରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଭୋଜି କରୁଥିବା ଯୁବକମାନଙ୍କୁ ଜାଗା ମାଲିକ ଟଙ୍କା ମାଗିଥିଲେ । ଜାଗା ମାଲିକ ଦାବି କରିଥିବା ଟଙ୍କା ଅଧିକ କହି ଯୁବକମାନେ ପ୍ରତିବାଦ ଜଣାଇଥିଲେ । ଏଥିସହିତ ଟଙ୍କାର ରସିଦ ଦେବାକୁ ଜିଦି କରିଥିଲେ । ଏନେଇ ଉଭୟ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ପରେ ପରସ୍ପରକୁ ଆକ୍ରମଣ କରିଥିଲେ । ଖବର ପାଇ ପିସିଆର ଭ୍ୟାନ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ସମ୍ବନ୍ଧିତ ଖବର