ଦାଦନ ଖଟିବାକୁ ଯାଉଥିବା ୩ ନାବାଳିକା ମୋଟୁରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ଥାନା କର୍ମଚାରୀ ବୁଧବାର ରାତିରେ ମାଲକାନଗିରି ନିକଟସ୍ଥ ସୋରିଷମାଳ ଗ୍ରାମରୁ ତିନି ଜଣ ନାବାଳିକା ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ପେପର ମିଲରେ କାମ କରିବାକୁ ଯାଉଥିବା ବେଳେ ଉଦ୍ଧାର କରିଛନ୍ତି।

ଏନେଇ ମାଲକାନଗିରି ପୁଲିସକୁ ମୋଟୁ ପୁଲିସ ଖବର ଦେବା ପରେ ମାଲକାନଗିରି ପୁଲିସ ଅଧିକାରୀ ରାମ ପ୍ରସାଦ ନାଗଙ୍କ ନିର୍ଦ୍ଦେଶରେ କିଛି କର୍ମଚାରୀ ସେଠାରେ ପହଞ୍ଚି ଏହି ତିନି ଜଣ ନାବାଳିକାକୁ ଉଦ୍ଧାର କରି ଆଜି ସିଡବ୍ଲୁସି ନିକଟରେ ହାଜର କରାଇଥିଲେ। ତିନି ଜଣ ନାବାଳିକାଙ୍କୁ ସିଡବ୍ଲୁସି ତରଫରୁ ପଚରାଉଚରା କରାଯିବା ପରେ ସେମାନଙ୍କର ଅଭିଭାବକମାନଙ୍କୁ ଡକାଇ କିପରି ସେମାନେ ଆଗକୁ ପାଠ ପଢିପାରିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା।

ପ୍ରକାଶ ଥାଉକି ମାଲକାନଗିରି ଅଂଚଳରୁ ପ୍ରତିଦନ ଶହ ଶହ ସଂଖ୍ୟାରେ ନାବାଳକ ଏବଂ ନାବାଳିକାମାନେ ବିଭିନ୍ନ ଉପାୟରେ ଜିଲ୍ଲାରୁ ଖସି ବାହାର ଜିଲ୍ଲାରେ ପହଞ୍ଚୁଛନ୍ତି। ଦଲାଲମାନେ ପୁଲିସ ଏବଂ ଶ୍ରମ ବିଭାଗର ଆଖିରେ ଧୂଳି ଦେଇ ଏମାନଙ୍କୁ ଜିଲ୍ଲା ପାର କରାଇବାରେ ସକ୍ଷମ ହେଉଛନ୍ତି।

ବର୍ତ୍ତମାନ ସ୍କୁଲ କଲେଜ ବନ୍ଦ ଥିବାରୁ ଦଲାଲମାନେ ନାବାଳକ ଏବଂ ନାବାଳିକାମାନଙ୍କୁ ଟାର୍ଗେଟ କରୁଛନ୍ତି ।କମ୍ ଟଙ୍କାରେ ଅଧିକା କାମ ହେଉଥିବାରୁ ଏମାନଙ୍କୁ ନେବା ପାଇଁ ବଡ ବଡ କମ୍ପାନି ମଧ୍ୟ ଇଛା ପ୍ରକଟ କରୁଥିବା ଦେଖିବାକୁ ମିଳିଛି।ଏନେଇ ପୁଲିସ,ଶ୍ରମ ବିଭାଗ ତରଫରୁ ଘନ ଘନ ଚଢାଉ ହେଲେ ଦଲାଲମାନେ ଭୟ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର