ସୁରତରେ ଦୁର୍ଘଟଣା: ୨ ଭାଇଙ୍କ ସମେତ ୩ ଓଡ଼ିଆ ଯୁବକ ମୃତ

ପରିବାରକୁ ସହାୟତା ଦେଲେ ବିଧାୟକ, ପ୍ରଶାସନ

ପୋଲସରା: ଗୁଜରାଟ ସୁରତରେ ପୃଥକ୍ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଚିରିକିପଡ଼ାଶାସନ ଗ୍ରାମର ତିନିଜଣ ଯୁବକଙ୍କ ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ ଗ‌ୋଟିଏ ପରିବାରର ଦୁଇଭାଇ ଅଛନ୍ତି। ସେମାନେ ହେଲେ, ଘୋଡ଼ାସାହି ବାସିନ୍ଦା ରମା ଜେନାଙ୍କ ଦୁଇ ପୁଅ ଟୁକୁନା ଜେନା (୩୫) ଓ ଶ୍ରୀନିବାସ ଜେନା (୩୦)।
ଦୁଇପୁଅ ସୁରତରେ ଦାଦନ ଖଟୁଥିବା ବେଳେ ଗତମାସରେ ସେମାନେ ମାଆ ରମାଙ୍କୁ ବୁଲାଇବାକୁ ନେଇଥିଲେ। ବାପା ଓ ଭଉଣୀ ଗାଁରେ ଥିଲେ। ଗତ ୧୬ ତାରିଖରେ ଦୁଇପୁଅ ମାଆଙ୍କୁ ଛାଡ଼ିବା ଲାଗି ଅଟୋରେ ସୁରତ ଷ୍ଟେସନ୍‌କୁ ଆସୁଥିଲେ। ଏହି ସମୟରେ ହାଇୱା ଧକ୍କା ଦେବାରୁ ଟୁକୁନା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ମାଆ ରମା ଓ ଶ୍ରୀନିବାସ ଗୁରୁତର ହୋଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀନିବାସଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ଖବର ପ୍ରଚାର ହେବା କ୍ଷଣି ଗାଁରେ ଶୋକର ଛାୟା ଖେଳି ଯାଇଥିଲା। ଦୁଇ ରୋଜଗାରିଆ ପୁଅଙ୍କ ଆକସ୍ମିକ ମୃତ୍ୟୁ ପରେ ସେମାନଙ୍କ ପରିବାର ବି ସଂପୂର୍ଣ୍ଣ ବେସାହାରା ପାଲଟିଛି।
ଅନ୍ୟପକ୍ଷରେ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସେହି ଗ୍ରାମ କଣିତୋଟା ସାହିର ସନ୍ତୋଷ ବେହେରା (୪୦) ମଧ୍ୟ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗତ ୧୦ ତାରିଖରେ ସେ ସୁରତରୁ ନିଜ ଗାଁକୁ ଆସିବା ପାଇଁ ଅଟୋରେ ରେଳଷ୍ଟେସନ୍‌କୁ ଯାଉଥିବା ବେଳ‌େ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତିନି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଗୁଜରାଟ ଓ ଓଡ଼ିଶା ସରକାର ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଆଜି ପୋଲସରା ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଦିଲ୍ଲୀପ କୁମାର ନାୟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ସସ୍ମିତା ତରାଇ, ପ୍ରତିନିଧି ଅଶୋକ କୁମାର ବିଷୋୟୀ, ସରପଞ୍ଚ ସୁଜାତା ସାହୁ ଓ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର