ନୀଳଗିରି: ବିଷାକ୍ତ ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ନରଣପୁର ଗ୍ରାମରେ। ସୂଚନା ଅନୁସାରେ; ଗ୍ରାମର ସରୋଜ ବେହେରା (୩୬)ଙ୍କ ପୁଅ ସମ୍ବିତ (୧୩) ଘର ନିକଟରେ ଫୁଟିଥିବା କିଛି ଛତୁ ତୋଳି ଆଜି ଘରକୁ ଆଣିଥିଲେ।
ଛତୁ ତରକାରୀ ରନ୍ଧାଯିବା ପରେ ଘରଲୋକ ଖାଇଥିଲେ। ତେବେ ତରକାରୀ ଖାଇବା ପରେ ସରୋଜଙ୍କ ସହ ପୁଅ ସମ୍ବିତ ଓ ପତ୍ନୀ ଦେବସ୍ମିତା ବେହେରା (୩୦)ଙ୍କର ଘନଘନ ବାନ୍ତି ହୋଇଥିଲା। ସମସ୍ତେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ପରିବାରର ଅନ୍ୟ ସଦସ୍ୟ ଏବଂ ଗ୍ରାମବାସୀ ମିଶି ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଉପଖଣ୍ତ ଚିକିତ୍ସାଳୟ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ତେବେ ଛତୁ ବିଷାକ୍ତ ହୋଇଥିବାରୁ ଏମିତି ଘଟଣା ଘଟିଲା ବୋଲି ଡାକ୍ତର କହିଛନ୍ତି।