ରାୟଗଡ଼ା ଡିଆରଡିଏରେ ଅଚଳାବସ୍ଥା: ୪ ମାସରେ ବଦଳିଲେଣି ୩ ପ୍ରକଳ୍ପ ନିର୍ଦେଶକ

ନିଯୁକ୍ତିର ମାସକ ପରେ ମହେଶ୍ବରଙ୍କ ବଦଳିକୁ ନେଇ ଚର୍ଚ୍ଚା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ରେ ସ୍ଥାୟୀ ଅଧିକାରୀ ନଥିବା କାରଣରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତ ୪ ମାସରେ ୩ ପ୍ରକଳ୍ପ ନିର୍ଦେଶକଙ୍କ ବଦଳି ଯୋଗୁ ବିକାଶ ବାଧାପ୍ରାପ୍ତ ହୋଇଛି। ନିଯୁକ୍ତିର ମାସକ ଭିତରେ ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାଏକଙ୍କ ସ୍ଥାନରେ ସରକାର ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଧର୍ମାନନ୍ଦ ବେହେରାଙ୍କୁ ନୂତନ ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ର ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍ ଅମ୍ରିତ୍ ଋତୁରାଜଙ୍କ ୨୦୨୧ ଜାନୁଆରୀ ପହିଲାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା। ସରକାରଙ୍କ ବଦଳି ନିର୍ଦେଶନାମାରେ ଡିଆରଡିଏ ପିଡି ଭାବେ କାହାକୁ ନିଯୁକ୍ତି ମିଳିନଥିବାରୁ ବିଭାଗୀୟ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭୀମସେନ ଶବରଙ୍କୁ ଦାୟିତ୍ବ ହସ୍ତାନ୍ତର କରି ଶ୍ରୀ ଋତୁରାଜ ରିଲିଭ୍ ହୋଇଥିଲେ। ସରକାର ଋତୁରାଜଙ୍କ ସ୍ଥାନରେ ଜାନୁଆରୀ ୧୬ ତାରିଖରେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନ ଗୁଣପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗଙ୍କୁ ରାୟଗଡ଼ା ଡିଆରଡିଏର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। କିନ୍ତୁ ଜୁନ୍ ମାସରେ ଶ୍ରୀ ଗମାଙ୍ଗ ଚାକିରୀରୁ ଅବସର ଗ୍ରହଣ କରୁଥିବାରୁ ନୂତନ ଦାୟିତ୍ବ ନେବାକୁ ଇଚ୍ଛା ପ୍ରକାଶ କରିନଥିଲେ। ଏହା ପରେ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ବରିଷ୍ଠ ଓଏଏସ୍ ଭୀମସେନ ଶବରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଶ୍ରୀ ଶବର ଅତିରିକ୍ତ ଦାୟିତ୍ବ ତୁଲାଉଥିବା ବେଳେ ମାର୍ଚ୍ଚ ୪ ତାରିଖରେ ସରକାର କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥ‌ାରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟରତ ଥିବା ଓଏଏସ୍ ମହେଶ୍ବର ନାଏକଙ୍କୁ ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। ମାର୍ଚ୍ଚ ୧୮ରେ ଶ୍ରୀ ନାଏକ ଡିଆରଡିଏ ନୂତନ ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ହେଲେ କାର୍ଯ୍ୟରେ ଯୋଗଦେବାର ମାସେ ନ ପୁରୁଣୁ ସରକାର ଆଜି ରାୟଗଡ଼ାରେ ପୁଣି ନୂଆ ପ୍ରକଳ୍ପ ନିର୍ଦେଶକଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ସରକାର ତୁରନ୍ତ ରାୟଗଡ଼ା ଡିଆରଡିଏର ନୂତନ ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ବ ନେବା ପାଇଁ ନିର୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଦାୟିତ୍ବରେ ଥିବା ନିର୍ଦେଶକ ଶ୍ରୀ ନାଏକ କେଉଁ ବିଭାଗକୁ ଯିବେ, କେଉଁ ଦାୟିତ୍ବରେ ରହିବେ ସେ ନେଇ ବିଜ୍ଞପ୍ତିରେ କୌଣସି ଉଲ୍ଲେଖ ନାହିଁ। ତେବେ ଶ୍ରୀ ନାଏକଙ୍କ ରାତି ଅଧିଆ ବଦଳିକୁ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ଶ୍ରୀ ନାଏକଙ୍କ ବଦଳି ପଛରେ ରାଜନୈତିକ ଅଭିସନ୍ଧି ନା ଆଉ କିଛି କାରଣ ରହିଛି ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଜିଲ୍ଲାର ୧୧ ବ୍ଲକ୍ ୧୮୨ ପଞ୍ଚାୟତ, ୨୬୫୭ ରାଜସ୍ବ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର, ଗୋପବନ୍ଧୁ ଗ୍ରାମୀଣ ବିକାଶ ଯୋଜନା, ସଂଶୋଧିତ ଦୀର୍ଘ ମିଆଦି କାର୍ଯ୍ୟ ଖସଡ଼ା, ଜିଲ୍ଲା ଯୋଜନା ଓ ସମନ୍ବୟ ଶାଖା, ବିଧାୟକ, ସାଂସଦ ପାଣ୍ଠି ଅନୁଦାନ, ରାଜ୍ୟ ସରକାରଙ୍କ ପଞ୍ଚମ ଓ କେନ୍ଦ୍ରର ପଞ୍ଚଦଶ ଅର୍ଥ କମିଶନ୍ ଅନୁଦାନ , ଜିଲ୍ଲା ଯୋଗାଣ ଓ ବିପଣନ ସଂସ୍ଥା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ଓ ବିଭାଗ ପରିଚାଳନା ହେଉଛି।

ଏଥି ସହିତ ରାୟଗଡ଼ା, ଗୁଣପୁର ପୌର ପରିଷଦ, ଗୁଡ଼ାରି ବିଜ୍ଞାପିତ ଅଞ୍ଚଳର ନୋଡାଲ୍ ଅଧିକାରୀ ଭାବେ ସରକାର ଡିଆରଡିଏ ପିଡିଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ଖଣି ସମୃଦ୍ଧ ଏହି ଜିଲ୍ଲାରେ ବାର୍ଷିକ ଖଣିଜ ଅନୁଦାନ ପାଣ୍ଠି ଅର୍ଥ ସହ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଯୋଜନା ପରିଚାଳନାରେ ମଧ୍ୟ ପିଡିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ହେଲେ ସ୍ଥାୟୀ ଅଧିକାରୀ ନଥିବା ଯୋଗୁ ବିକାଶ ବାଧାପ୍ରାପ୍ତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର