ଗ୍ୟାରେଜ ପୋଡ଼ିଦେଲେ: ଜଳିଗଲା ୩ ସ୍କୁଟି, ଗୋଟିଏ ବାଇକ୍‌

ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ଛେନାପଦିଛକରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଗ୍ୟାରେଜରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେବାରୁ ୩ ସ୍କୁଟି ଓ ଗୋଟିଏ ବାଇକ୍‌ ପୋଡ଼ିଯାଇଛି। ଛେନାପଦିଛକ ପେଟ୍ରୋଲ ପମ୍ପ ପଛପଟେ ରହୁଛନ୍ତି ରବୀନ୍ଦ୍ର ବରାଳ। ତାଙ୍କ ଘରେ ଜଣେ ବ୍ୟାଙ୍କ ମ୍ୟାନେଜର, ଜଣେ ଶିକ୍ଷୟିତ୍ରୀ ଓ ଜଣେ ସମାଜ ମଙ୍ଗଳ ଅଧିକାରୀ ଭଡ଼ାରେ ରହୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ଶବ୍ଦ ହେବାରୁ ପରିବାର ଲୋକେ ବାହାରକୁ ଆସିଥିଲେ। ଗ୍ୟାରେଜରେ ଥିବା ବାଇକ୍‌ ଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ସେମାନେ ଘରୁ ବାହାରି ପାରିନଥିଲେ। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ରବୀନ୍ଦ୍ରଙ୍କ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର