ଭଦ୍ରକ ଜିଲ୍ଲାରୁ କାଳିଆ ଟଙ୍କା ଫେରାଇବେ ୩ ହଜାର ଅଯୋଗ୍ୟ ହିତାଧିକାରୀ

ଭଦ୍ରକ: କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଓ ଯୋଜନାରୁ ଟଙ୍କା ଫେରସ୍ତକୁ ନେଇ ଏବେ ଭଦ୍ରକ ଜିଲ୍ଲା ଉଠୁଛି ପଡୁଛି। ଚାଷୀମାନଙ୍କ ମଧ୍ୟ ଏବେ ଟଙ୍କା ଫେରସ୍ତକୁ ନେଇ ଭାଳେଣୀ ପଡିଛି। କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ବୋଲି ଏଇ ରିପୋର୍ଟକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା।ଚର୍ଚ୍ଚାଠାରୁ ବିବାଦ ଅଧିକ ମୁଣ୍ଡ ଟେକିଛି। କେମିତି ଆଦାୟ ହେବ କାଳିଆ ଟଙ୍କା କିଏ ଆଦାୟ କରିବ। ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଭଦ୍ରକ ଜିଲ୍ଲାରେ ରାଜ୍ୟ ସରକାରଙ୍କର ଲୋକପ୍ରିୟ କାଳିଆ ଯୋଜନାରେ ହଡପ ହୋଇଛି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଯାହାକୁ ଫେରାଇ ଆଣିବା ପାଇଁ  ଜିଲ୍ଲାରେ ୩ ହଜାର ୮୧୪ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ନୋଟିସ୍ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା  ଏଇ  ନୋଟିସ୍ ପ୍ରତି ବ୍ଲକ କୃଷି ଅଧିକାରୀଙ୍କ  ନିକଟକୁ  ପଠାଇ ଦିଆଯାଇଛି। ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ସର୍ବାଧିକ ୯୦୮ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଥିଲେ। ଏମାନଙ୍କ ଉପରେ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ଜାରି କରାଯାଇଛି।

ବାସୁଦେବପୁର ବ୍ଲକରେ ୭ ୮୧ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ ବୋଲି କୃଷି ବିଭାଗ ନୋଟିସ୍ ଜାରି କରିଛି। ସେହିପରି  ଭଦ୍ରକ ବ୍ଲକରେ ୫୧୫ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ। ଧାମନଗର ବ୍ଲକରେ ୪୭୨ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ ବନ୍ତ ବ୍ଲକରେ ୪୪୯ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବାକୁ  ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ତିହିଡି ବ୍ଲକରେ ୩୫୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ନୋଟିସ୍ ଆସିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକରେ ୩୩୨ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ କାଳିଆ ଯୋଜନାର ପ୍ରଥମ କିସ୍ତି ଅର୍ଥ ବାବଦକୁ  ୫ ହଜାର ଟଙ୍କା ପାଇଥିବା ବେଳେ ଆଉ କିଛି ହିତାଧିକାରୀ ପ୍ରଥମ ଓ ଦ୍ବିତୀୟ କିସ୍ତି ଅର୍ଥ ପାଇଛନ୍ତି। ଏଇ ଅର୍ଥ ଅଯୋଗ୍ୟ ହିତାଧୀକାରୀଙ୍କ ଦ୍ବାରା ହଡପ ହୋଇଥିବା ନେଇ ରାଜ୍ୟ ସରକାରଙ୍କର କୃଷି ବିଭାଗ ତଲବ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିପାଇଁ ଜିଲ୍ଲାରେ ପ୍ରକୃତରେ କେତେ ଟଙ୍କା ହଡପ ହୋଇଛି ତାହାକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

 

ସମ୍ବନ୍ଧିତ ଖବର