ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଲୁହୁରାଢିପା-ସେପତିବାହାଲ ରାସ୍ତାକଡ଼ ଏକ ବନ୍ଦଘରୁ ୨ ଶ୍ରମିକ ଜଣଙ୍କ ମୃତଦେହ ଠାବ ହୋଇଛି। ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା। ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

Advertisment

ଏହି ମୃତ ଶ୍ରମିକମାନେ ହେଲେ, ନିକଟସ୍ଥ ବାଉରିମୁଣ୍ଡାର ମିଠୁ ଓରାମ ଓ ଦିଲୀପ ସା। ମିଠୁ ଓ ଦିଲୀପ ସୁନ୍ଦରଗଡ଼ ଲୁହୁରାଢିପାକୁ ଆସି ଠିକାଦାର ବିକାଶ ରାଓଙ୍କ ପାଖରେ ଶ୍ରମିକ ଭାବେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଠିକାଦାରଙ୍କ ଏକଘରେ ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ସକାଳୁ ଘରୁ ଧୂଆଁ ବାହାରୁଥିବା ପାଖ ପଡ଼ୋଶୀ ଦେଖି ଠିକାଦାର ଓ ପୁଲିସକୁ ଖବର ଦେଇଥିଲେ। ସେତେବେଳକୁ ନିଅଁାରେ ପୋଡ଼ିହୋଇ ଦଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ, ଖବର ଲେଖାଯିବା ପର୍ଯ୍ୟନ୍ତ କୋଇଡ଼ା ମାଲଦାରେ ସଂଘଟିତ ଗୁଳିକାଣ୍ଡର ତଦନ୍ତ ପାଇଁ ଯାଇଥିବା ସାଇଣ୍ଟିଫିକ୍‌ ଟିମ୍‌ ଆସି ନଥିବାରୁ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇ ପାରିନାହିଁ। ଘଟଣାସ୍ଥଳରେ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଓ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ପ୍ରମୁଖ ପୁଲିସ ଟିମ୍‌ ସହ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଅନ୍ୟପକ୍ଷରେ, କେଉଁସ୍ଥିତିରେ ସେଠାରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଘରେ ବିଦ୍ୟୁତ୍‌ ସଂଯୋଗ ନଥିବା ବେଳେ ରାତିରେ ମହମବତି କି ଡିବିରି ଜାଳି ୨ ଶ୍ରମିକ ଶୋଇଥିଲେ। କୌଣସି ଏକସ୍ଥିତିରେ ସେଥିରୁ ନିଆଁ ଲାଗି କବାଟ ପାଖରେ ଥିବା ଏକ ଫାଇବର କୁଲର ଓ ଛାତ ସିଲିଂରେ ଲାଗିଥିବା ସୋଲ୍‌ ଜଳି ଯାଇଥିଲା। କବାଟ ପାଖରେ ଥିବା କୁଲର ହୁହୁ ହୋଇ ଜଳୁଥିବା ଓ ନିଆଁଧୂଆଁରେ ଘର ଭରି ଯାଇଥିବାରୁ ଶ୍ରମିକ ଦୁହେଁ ଆଉ ପଦାକୁ ବାହାରି ପାରି ନଥିବା ପୁଲିସ ଅନୁମାନ କରୁଛି।

publive-image

ଠିକାସଂସ୍ଥା କ୍ୟାମ୍ପରେ ନିଆଁ ଲାଗିଲା

ଭବାନୀପାଟଣା/କେସିଙ୍ଗା/ଉତ୍କେଲା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡ଼ି ଓ ନାସିଗାଁ ମଝିରେ ଥିବା ରାଜେଶ ଠାକୁରଙ୍କ ଠିକାସଂସ୍ଥା କ୍ୟାମ୍ପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିବା ଫଳରେ ଜଣେ ଶ୍ରମିକଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଦୀପ କେତକୀ (୪୫)।

ମୃତକ ପ୍ରଦୀପ ଠିକାସଂସ୍ଥାରେ ଷ୍ଟୋର୍‌ କିପର୍‌ ଭାବେ କାର୍ଯ୍ୟରତ ଥିଲେ। ଘଟଣା ପୂର୍ବରୁ କ୍ୟାମ୍ପ୍‌ରେ ପ୍ରଦୀପଙ୍କ ସହ କେବଳ ରୋଷେୟା ଥିଲେ। ରୋଷେୟା କୌଣସି ସାମଗ୍ରୀ କିଣିବାକୁ ଛକକୁ ଯାଇଥିବା ବେଳେ ସେ କ୍ୟାମ୍ପ୍‌ରେ ଶୋଇଥିଲେ। ଏହିସମୟରେ ନିଆଁ ଲାଗିଯାଇଥିଲା। ସେଠାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ମହଜୁଦ ଥିବାରୁ ନିଆଁ ସଙ୍ଗେ ସଙ୍ଗେ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଉଦ୍ଧାର କଲାବେଳକୁ ପ୍ରଦୀପଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁହୋଇ ସାରିଥିବା ପୁଲିସ୍ କହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି। ପୁଲିସ୍ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।