ପକ୍କା ଘର ପାଇଁ ୩ବ‌ର୍ଷ ଅପେକ୍ଷା: ୪ମାସ ତଳେ ସର୍ଭେ ସରିଲା, କାର୍ଯ୍ୟାଦେଶ ମିଳିଲାନି

ଜୟପୁର: ପକ୍କାଘର ଖଣ୍ଡିକ ପାଇବା ପାଇଁ ହିତାଧିକାରୀ ମାନେ ଯୋଗ୍ୟ ବିବେଚିତ ହୋଇ ଗତ ୩ବର୍ଷ ହେବ ଅପେକ୍ଷା କରି ରହିଥିଲେ। ହିତାଧିକାରୀ ମାନେ ପକ୍କାଘର ପାଇବା ପାଇଁ ଯୋଗ୍ୟ ନା ରାଜ‌ନୈତିକ ଚାପ ଓ ଅନ୍ୟାନ୍ୟ ଦିଗରେ ତାଲିକା‌ରେ ସାମିଲ କରାଯାଇଥିଲା ତାହାର ସର୍ଭେ କରାଯାଇଥିଲା। ୬୩୫୪ଜଣ ଆବେଦନକାରୀଙ୍କ ମଧ୍ୟରୁ  ସର୍ଭେ ପରେ ଜୟପୁର ବ୍ଲକର ୨୨ଟି ପଂଚାୟତରେ ୪୩୦୦ଜଣ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବା ପାଇଁ ଚିହ୍ନଟ ହୋଇଛନ୍ତି। ତେବେ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ହେବ ଏବଂ ଶୀଘ୍ର କାର୍ଯ୍ୟାଦେଶ ଖଣ୍ଡିକ ପାଇବେ ବୋଲି ଆଶାବାନ୍ଧି ରହିଥିବା ହିତାଧିକାରୀ ମାନେ ନିରାଶ ହୋଇପଡ଼ିଛନ୍ତି। କେବେ କାର୍ଯ୍ୟାଦେଶ ମିଳିବ ସେ ନେଇ  ଏବେ ହିତାଧିକାରୀ ମାନେ ପଂଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ସହ  ପିଇଓ, ଜିଆରଏସ୍ ଙ୍କ ସହ ପଂଚାୟତସ୍ତରରେ ହେଉଥିବା ଅଭିଯୋଗ ଶୁଣାଣୀରେ ବି ବ୍ଲକସ୍ତରୀୟ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଛନ୍ତି। ଆଉ ୨ମାସ ଗଲେ ବର୍ଷାମାସ ଆସୁଥିବାରୁ ସେ ସମୟରେ କାର୍ଯ୍ୟାଦେଶ ପାଇଲେ ଏମାନେ ଘର ନିର୍ମାଣ କରି ପାରିବେ କି ବୋଲି ପ୍ରଶ୍ନ ଉଠିଛି।

ଯୋଗ୍ୟ ବିବେଚିତ ହୋଇ ଅପେକ୍ଷାରେ ଥିବା ହିତାଧିକାରୀଙ୍କ ମଧ୍ୟରେ  ଆମ୍ବାଗୁଡା ପଂଚାୟତରେ ୧୩୩ଜଣ ରହିଛନ୍ତି। ସେଭଳି ଅନ୍ତା ୨୪୭ଜଣ, ବଡ଼ଜିଉନା ୧୭୯ଜଣ, ବାଲିଆ ୨୧୬ଜଣ, ବାରିଣୀପୁଟ ୨୪୧ଜଣ, ଧନପୁର ୧୮୮ଜଣ, ଡଙ୍ଗରଚିଂଛି ୨୦୨ଜଣ, ଏକମ୍ବା ୧୭୦ଜଣ, ଗଡ଼ପଦର ୨୩୦ଜଣ, ହାଡିଆ ୧୩୮ଜଣ, ଜାମୁଣ୍ଡା ୨୦୫ଜଣ, ଜୟନ୍ତଗିରୀ ୧୯୪ଜଣ, କାଳିଆଗାଁ ୧୧୨ଜଣ, କେବିଡି ୨୨୧ଜଣ, କଙ୍ଗା ୨୩୧ଜଣ, କୁମୁଲିପୁଟ ୧୫୩ଜଣ, ପାମ୍ପୁଣୀ ୨୬୪ଜଣ, ପୁଜାରୀପୁଟ ୧୫୫ଜଣ, ରଣ୍ଡାପାଲ୍ଲୀ ୧୯୯ଜଣ, ରାଣୀଗଡ଼ ୧୧୫ଜଣ, ଟାଙ୍କୁଆ ୩୧୧ଜଣ, ଉମୁରୀ ୧୯୬ଜଣ ଏଭଳି ୪୩୦୦ଜଣ ହିତାଧିକାରୀ କାର୍ଯ୍ୟାଦେଶ ଅପେକ୍ଷାରେ ରହିଛନ୍ତି। ଜୟପୁର ବ୍ଲକରେ ଗତ ୨୦୨୦-୨୧ଆର୍ଥିକ ବର୍ଷରେ ଅଳ୍ପ କିଛି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ପକ୍କା ଘର ସହାୟତା ଦିଆଯାଇଥିଲା। ଏହା ପର ଠାରୁ ୨୦୨୧-୨୨ ଆର୍ଥିକ ବର୍ଷ, ୨୦୨୨-୨୩ଆର୍ଥିକ ବର୍ଷ ଓ ୨୦୨୩-୨୪ଆର୍ଥିକ ବର୍ଷରେ ଆଉ ହିତାଧିକାରୀଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ଦିଆଯାଇନି।

ଅପରପକ୍ଷେରେ ପକ୍କାଘର ଖଣ୍ଡିକ ପାଇବା ଆଶାରେ ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ମରି ଯିବା ପରେ ବି ପାଇ ପାରି ନାହାନ୍ତି। ଏପରିକି ସଂପ୍ରତି ପ୍ରଶାସନ ଚିହ୍ନଟ କରିଥିବା ଏହି ୪୩ଶହ ଯୋଗ୍ୟ ହିତାଧିକାରୀ ଗତ ୩ବର୍ଷ କାଳ ଚାଳଛପର ଘରେ ରହି ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ଅନୁଭବ କରି ଆସିଥି‌ବା ବେଳେ ସର୍ଭେ ପରେ କାର୍ଯ୍ୟାଦେଶ ମିଳିବ ଏବଂ ଘର ନିର୍ମାଣ ସାରି ପକ୍କାଘରେ ରହିବା ଯେଉଁ ସ୍ବପ୍ନ ଦେଖିଥିଲେ ତାହା କେବେ ପୁରଣ ହେବ ବୋଲି ହିତାଧିକାରୀ ମାନେ କହିଛନ୍ତି। ରାଜ୍ୟ ଓକେନ୍ଦ୍ରସରକାର ଅତ୍ୟନ୍ତ ଜରୁରୀ, ବୃଦ୍ଧ, ବୃଦ୍ଧା, ଅସହାୟ, ନିରାଶ୍ରୟ, ଏଚଆଇଭି ଆକ୍ରାନ୍ତ, ବିଧବା, କାଳବୈଶାଖୀରେ ଘର ଭାଙ୍ଗିଥଲେ, ବାହା ନ ହୋଇ ଘରେ ରହିଥିବା ଝିଅଙ୍କୁ ତୁରନ୍ତ ପକ୍କାଘର ଖଣ୍ଡିକ ଦେବାକୁ ବି ‌ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ସରକାର ଓ ପ୍ରଶାସନ କେବେ ପାଳନ କରି ଯୋଗ୍ୟ ହିତାଧିକାରୀଙ୍କ ଜିଅଟ୍ୟାଗିଂ ଓ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍ ଅ‌ପଲୋଡ୍ ଆଦି ହେବା ପରେ କେବେ କାର୍ଯ୍ୟା‌ଦେଶ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର