ଗ୍ରିନ୍ ଜୋନ୍ ମୁହାଁ ସତ୍ତ୍ବେ ଟଳିନି ବିପଦ; ୧୫ ଦିନରେ ଗଲାଣି ୩୦ ଜୀବନ

ମୃତ୍ୟୁହାର ଚିନ୍ତାଜନକ, ସକ୍ରିୟ ଆକ୍ରାନ୍ତ ହଜାରେ ତଳେ

ରାୟଗଡ଼ା: କମୁଛି ସଂକ୍ରମଣ। ଗ୍ରିନ୍ ଜୋନ୍ ମୁହାଁ ହେଉଛି ରାୟଗଡ଼ା। ଗତ ଦୁଇ ଦିନ ଧରି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେରୁ ତଳକୁ ଖସିଛି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହଜାରେ ତଳେ ରହିଛି। ଟେଷ୍ଟ୍ ପଜିଟିଭ୍ ହାର୍ ୬ରୁ ୭ ପ୍ରତିଶତ ମଧ୍ୟରେ ଥିବା ବେଳେ ଜିଲ୍ଲାରେ କମୁନି କରୋନା ମୃତ୍ୟୁହାର। ୧୫ ଦିନରେ ଆଖି ବୁଜିଲେଣି ୩୦ ଆକ୍ରାନ୍ତ। ଯାହା କରୋନା ମୁକାବିଲାରେ ନିୟୋଜିତ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ମୃତ୍ୟୁହାର ଉଦବେଗଜନକ ଥିବାରୁ ଗ୍ରିନ୍ ‌ଜୋନ୍ ମୁହାଁ ସତ୍ତ୍ବେ ରାୟଗଡ଼ାରୁ ବିପଦ ଟଳିନି। ରଜ ଛୁଟି ଓ ଅନ୍ୟ କାରଣ ପାଇଁ ସ୍ବାବ ଟେଷ୍ଟିଂ କମିଥିବାରୁ ସଂକ୍ରମଣ ସଂଖ୍ୟା ମଧ୍ୟ କମିଛି।

ସୋମବାର ଜିଲ୍ଲାରୁ ୬୪ ଏବଂ ମଙ୍ଗଳବାର ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁହାର ପୂର୍ବରୁ ଅପରିବର୍ତ୍ତିତ ରହିଛି। ଗତ ଦୁଇ ଦିନରେ ଜିଲ୍ଲାରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଜୁନ୍ ପହିଲାରୁ ଦୈନିକ ହାରାହାରି ୨ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ସ୍ପଷ୍ଟ ହୋଇଛି। ସରକାର ଘୋଷଣା କରୁଥିବା ମୃତ୍ୟୁ ତାଲିକାରେ କେବଳ ରାୟଗଡ଼ା ଜିଲ୍ଲା କୋଭିଡ଼୍ ହସପିଟାଲ ଓ ରାଜ୍ୟର ସରକାରୀ ହସପିଟାଲରେ ଚିକିତ୍ସାଧୀନ ହେଉଥିବା ଆକ୍ରାନ୍ତ ସାମିଲ୍ ହୋଇଛନ୍ତି। ଓଡ଼ିଶା ସମେତ ଓଡ଼ିଶା ବାହାରେ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜୁଥିବା ଆକ୍ରାନ୍ତଙ୍କୁ ସରକାର ମୃତ୍ୟୁ ତାଲିକାରେ ସାମିଲ୍ କରୁନାହାଁନ୍ତି। ଏପରି ଭାବେ କରୋନା ପ୍ରଥମ ଓ ଦ୍ବିତୀୟ ଲହରୀରେ ରାୟଗଡ଼ା ଜିଲ୍ଲାରେ ୧୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି।

ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ସଂକ୍ରମଣ ଓ ମୃତ୍ୟୁ ହାର କମାଇବାକୁ ଜିଲ୍ଲା ପ୍ରଶାସନ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ସହ ପ୍ରତ୍ୟେକ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ତୀକ୍ଷଣ୍ ନଜର ରଖିବା ଆରମ୍ଭ କରିଛି। ପ୍ରତିଦିନ ଜିଲ୍ଲାରୁ ୧୨୦୦ ସ୍ବାବ ପରୀକ୍ଷଣ ପାଇଁ ଯାଉଥିବା ବେଳେ ଗତ ୩/୪ ଦିନ ହେଲା ସ୍ବାବ ପରୀକ୍ଷଣ ସଂଖ୍ୟା କମିଛି। ଯେଉଁଥି ପାଇଁ ସଂକ୍ରମଣ ହାରରେ ମଧ୍ୟ ପରିବର୍ତ୍ତନ ଆସିଛି। କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତା ୧୭ ତାରିଖରୁ ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବାରୁ ରାୟଗଡ଼ା ମଧ୍ୟ ଏଥିରେ ସାମିଲ୍ ହୋଇପାରେ। ସଂକ୍ରମଣ କମିବା ପରେ ରାୟଗଡ଼ା କୋଭିଡ଼୍ ହସ୍ପିଟାଲରେ ରୋଗୀ ସଂଖ୍ୟା ୨୦ ତଳକୁ ଖସିଛି।

ଗୁଣପୁର କୋଭିଡ଼୍ କେୟାର ସେଣ୍ଟର ରୋଗୀ ଶୂନ୍ୟ ହୋଇଥିବା ବେଳେ ବିଷମ କଟକ, ତାଡମା ସେଣ୍ଟରରେ ଅଳ୍ପ ସଂଖ୍ୟକ ସଂକ୍ରମିତ ଅଛନ୍ତି। ଏପ୍ରିଲ୍ ଦ୍ବିତୀୟ ସପ୍ତାହରୁ ଜିଲ୍ଲାରେ କରୋନା ପ୍ରାର୍ଦୁଭାବ ଜାରି ରହିଛି। ମେ’ ମାସରେ ସଂକ୍ରମଣ ଶୀର୍ଷକୁ ଯିବା ସହ ଜୁନ୍ ପହିଲାରୁ ସଂକ୍ରମଣହାର ତଳମୁହାଁ ହେବାରେ ଲାଗିଛି। ଜୁନ୍ ୧ ତାରିଖରେ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୩୭୧ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୧ ଥିଲା। ଜୁନ୍ ୫ ତାରିଖରେ ଆକ୍ରାନ୍ତ ସଂଖ୍ୟା ୧୬୬୭୪ରେ ପହଞ୍ଚିବା ସହ ମୃତ୍ୟୁ ସଂଖ୍ୟା ୧୧୧, ଜୁନ୍ ୧୦ରେ ସଂକ୍ରମିତଙ୍କ ସଂଖ୍ୟା ୧୭୩୯୮ ଏବଂ ମୃତ୍ୟୁ ସଂଖ୍ୟା ୧୧୮, ଜୁନ୍ ୧୫ରେ ସଂକ୍ରମିତଙ୍କ ସଂଖ୍ୟା ୧୭୮୭୮ ଏବଂ ମୃତ୍ୟୁ ସଂଖ୍ୟା ୧୩୦‌କୁ ଛୁଇଁଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ ତଳକୁ ଖସି ଆଜି ୯୪୧ରେ ପହଞ୍ଚିଛି। ଆଜି ସୁଦ୍ଧା ଜିଲ୍ଲାରୁ ୧୬୮୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଉ ଦିନେ ଦୁନ ସଂକ୍ରମଣ ହାର ତଳ ମୁହାଁ ହେଲେ ରାୟଗଡ଼ା ଜିଲ୍ଲା ଗ୍ରିନ୍ ଜୋନରେ ସାମିଲ୍ ହୋଇପାରେ। ପଡୋଶୀ ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲା ଗ୍ରିନ୍ ଜୋନରେ ଅଛନ୍ତି।

ସମ୍ବନ୍ଧିତ ଖବର