ବଲାଙ୍ଗୀର-କନ୍ଧମାଳରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ପାଇଁ ବୁଝାମଣ ପତ୍ର ସ୍ୱାକ୍ଷରିତ

ବଲାଙ୍ଗୀର/ଫୁଲବାଣୀ: ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ-୧୯ ହସ୍ପିଟାଲ ଖୋଲିବ । ଏଥି ପାଇଁ କିସ ଓ ଓଏମସି ସହାୟତା ଯୋଗାଇ ଦେବ । ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ଖୋଲିବା ନେଇ ଆଜି ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏ ନେଇ ବଲାଙ୍ଗୀର କିସ କ୍ୟାମ୍ପସ ପରିସରରେ କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଭୁବନେଶ୍ୱର, ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ରହିବ ।

ଆଜି କିସ ଓ କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ କିମ୍ସର ସିଇଓ ଡ. ବିଷ୍ଣୁ ପାଣିଗ୍ରାହୀ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ବଲାଙ୍ଗୀରର ଏହି କୋଭିଡ-୧୯ ହସ୍ପିଟାଲକୁ କିମ୍ସ ଭୁବନେଶ୍ୱର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରୁଥିବା ବେଳେ ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଆର୍ଥିକ ଅନୁଦାନ ଯୋଗାଇ ଦେବ । ଏହି ବୁଝାମଣା ସ୍ୱାକ୍ଷରିତ ସମୟରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ସିଡିଏମଓ ଡାକ୍ତର ନାରାୟଣ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କିମ୍ସ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ଖୋଲିବା ପାଇଁ ବୁଝାମଣ ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ହସ୍ପିଟାଲ ଗୋଟିଏ ସପ୍ତାହ ମଧ୍ୟରେ କାମ କରିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର