ପୂର୍ବତନ ସାଂସଦଙ୍କ ବାସ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ୩୦୦ ବିଜେପି କର୍ମୀ

ରାୟଗଡ଼ା: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ଏବଂ ଭାସ୍କର ରାଓଙ୍କ ନେତୃତ୍ବକୁ ସମର୍ଥନ କରି ବିଜେପିର ଯୁବ ନେତା ବିଜୟ ବିଡ଼ିକା ୩୦୦ରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ବିଜେଡିରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ମିଶ୍ରଣ ପର୍ବ ଜାରି ରହିବ। ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସରେ ୨ ହଜାରରୁ ଊର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ୍ ହେବେ ବୋଲି କହିଛନ୍ତି ପୂର୍ବତନ ସାଂସଦ ଶ୍ରୀ ରାଓ। ବିଜେଡିରେ ଆଜି ନିଜ ସମର୍ଥକଙ୍କ ସହ ସାମିଲ୍ ହୋଇଥିବା ବିଜୟ ବିଡ଼ିକା ପୂର୍ବରୁ ବିଜେପିରେ ଥିଲେ। ଗ୍ରାମାଞ୍ଚଳ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବିଜୟଙ୍କ ଭଲ ସଂଗଠନ ଥିବାରୁ ଆଗାମୀ ନିର୍ବାଚନରେ ଏହା ବିଜେଡି ପାଇଁ ଫଳପ୍ରଦ ହେବ।

ବିଜେଡିରେ ସାମିଲ୍ ହୋଇଥିବା ସମସ୍ତ କର୍ମୀଙ୍କୁ ପୂର୍ବତନ ସାଂସଦ ଶ୍ରୀ ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଦଳୀୟ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦେଶକ ବାନାଗାଡି ତ୍ରିପତି, ବିଜେଡି ରାଜ୍ୟ ଉପସଭାପତି ଚନ୍ଦ୍ରକାନ୍ତ ସାମଲ୍, ଜିଲ୍ଲା ସାଧାରଣ ସଂପାଦକ ଅମୀୟ ସ୍ବାଇଁ, ଓଡ଼ିଶା ମୋ ପରିବାର ଜିଲ୍ଲା ଆବାହକ ବିନାୟକ କର, ରାୟଗଡ଼ା ବ୍ଲକ୍ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହର ହେପ୍ରୁକା, ଜିଲ୍ଲା ପରିଷଦ ସଦସ୍ୟା ସନ୍ଧ୍ୟା ପୁଆଲା, କାଶୀପୁର ବ୍ଲକ୍ ବିଜେଡି ସଭାପତି ବିନୋଦ ନାୟକ, ଯୁବ ବିଜେଡି ନେତା ହର ପ୍ରସାଦ ନାୟକ, ପ୍ରଦୀପ ବାଘ, ରାୟଗଡ଼ା ପୌର ପରିଷଦ କାଉନସିଲର ସନ୍ତୋଷ କୁମାର ଦଳାଇ, ନଗର ଯୁବ ବିଜେଡି ସଭାପତି ଶ୍ରୀକାନ୍ତ ଚୌଧୁରୀ, ଛାତ୍ର ନଗର ସଭାପତି ପି. ପ୍ରବୀଣ କୁମାର, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ଅବିନାଶ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ି ରାୟଗଡ଼ା, ବିଷମକଟକ, ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ‌କୋରାପୁଟ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଜିଣିବାକୁ ପ୍ରୟାସ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡି ହାତରୁ ରାୟଗଡ଼ା ବିଧାନସଭା ସହ କୋରାପୁଟ ଲୋକସଭା ଆସନ କମ ଭୋଟ ବ୍ୟବଧାନରେ ଖସି ଯାଇଥିଲା। ରାୟଗଡ଼ାରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସପ୍ତଗିରି ଉଲାକା ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର