ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଉକ୍ତ ଜନ ଶୁଣାଣି ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଅଧ୍ୟକ୍ଷତା କରିଥିବା ବେଳେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଶିବିରରେ ଜନସାଧାରଣଙ୍କଠାରୁ ମୋଟ ୩୧ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୨୬ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୫ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା। ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟା ରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡସ୍ତରୀୟ ବିଭାଗୀୟ ଅଧିକାରୀ, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀ, ମୟୁରଭଞ୍ଜ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦ୍ୱାରା ଶିବିର କାର୍ଯ୍ୟକ୍ରମ ପରିଚାଳନାରେ ସହୋଜଗ କରିଥିଲେ।