ପାରଳାଖେମୁଣ୍ଡି: ମାତ୍ର ୨ ଦିନ ମଧ୍ୟରେ ଗଜପତି ଜିଲ୍ଲାରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୮ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି।ଜିଲ୍ଲାର  ମୋହନାରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୪ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଏହି ସୂଚନା‌ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗଜପତି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ଥିଲା । ମାତ୍ର ହଠାତ ୨ ଦିନରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାବାସୀଙ୍କର ଚିନ୍ତା ବଢ଼ିଛି। ସବୁଠାରୁ ବଡ଼ କଥା ହେଲା ଯେ ଗତ ୮ ତାରିଖ ଦିନ ଠାରୁ ସ୍କୁଲ ଖୋଲାଯିବା ପରେ ୨୮ ଜଣ ଶିକ୍ଷକ ଓ ୨ ଛାତ୍ରଛାତ୍ରୀଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏଥି ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଗଜପତି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩ ହଜାର ୯୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩ ହଜାର ୯୪୩ ଜଣ ସୁସ୍ଥ ହୋଇଥିବା ‌ବେଳେ ୩୨ ଜଣଙ୍କର ମୃତ୍ୟୁ ହୋଇଛି।