ବାଲିଅନ୍ତା:ସଂପ୍ରତି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜାଡ଼ରେ ଜୀବଜନ୍ତୁମାନେ ମଧ୍ୟ ଅନୁରୂପ ଭାବେ କଷ୍ଟ ପାଉଛନ୍ତି । ଶୀତ ଦାଉରୁ ରକ୍ଷା ରକ୍ଷା କରିବା ପାଇଁ ଗରିବ ଗୁରୁବା ତଥା ବୁଢ଼ା ବୁଢ଼ୀମାନଙ୍କୁ ବଦାନ୍ୟ ବ୍ୟକ୍ତି କମ୍ବଳ ସହାୟତା ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ଥଣ୍ଡାରେ କଷ୍ଟ ପାଉଥିବା ବୁଲା କୁକୁରମାନଙ୍କ କଷ୍ଟ ରାଘବ ପାଇଁ ବାଳକାଟି ବଜାରରେ ଜଣେ ଟେଲର ଆଗେଇ ଆସିଛନ୍ତି ।
ସୀତାରାମ ଟେଲରର ମାଲିକ ରମେଶ ଚନ୍ଦ୍ର ସାହୁ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ସବୁ ବୁଲା କୁକୁରମାନଙ୍କୁ ପୋଷାକ ପିନ୍ଧାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗ୍ରାହକମାନଙ୍କ କପଡ଼ାରୁ କଟା ହୋଇଥିବା ଟୁକୁଡ଼ା ଟୁକୁଡ଼ା ଅଂଶକୁ ସିଲାଇ କରି କୁକୁରମାନଙ୍କ ଲାଗି ପୋଷାକ ତିଆରି କରୁଛନ୍ତି । ଏଯାଏ ସେ ୩୧ଟି ବୁଲା କୁକୁରଙ୍କ ଲାଗି ପୋଷାକ ତିଆରି କରି ସେମାନଙ୍କୁ ପିନ୍ଧାଇ ସାରିଥିବା କହିଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଉତ୍ସାହୀ ଯୁବକ ତାଙ୍କୁ ଏଥିରେ ସହଯୋଗ କରୁଥିବା କହିଛନ୍ତି । ସେ ୧୦୦ଟି କୁକୁରଙ୍କୁ ପୋଷାକ ପିନ୍ଧାଇବା ପାଇଁ ଳକ୍ଷ ରଖିଥିବା କହିଛନ୍ତି । ବୁଲା କୁକୁରଙ୍କ ପ୍ରତି ଥିବା ରମେଶଙ୍କ ଏଭଳି ପ୍ରେମକୁ ସାଧାରଣରେ ପ୍ରଶଂସା କରାଯାଇଛି ।