ରକ୍ତରଂଜିତ ହେଲା ରେଳଧାରଣା: ୩୧ଟି ମଇଁଷି ଉପରେ ମାଡିଗଲା ଟ୍ରେନ୍‌

ରାୟଗଡା ଆରପିଏଫ ପୋଲିସର ତଦନ୍ତ ଆରମ୍ଭ

ରାୟଗଡା: ରେଳ ଧାରଣା ଦେଇ ଯାଉଥିବା ମଇଁଷି ପଲ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ । ଚାଲିଗଲା ନିରୀହ ୩୧ଟି ମଇଁଷିର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ ପୀତାମହଲ ରେଳ ଧାରଣାରେ। ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ଓ ଗ୍ୟାଙ୍ଗମ୍ୟାନ ଟିମ୍ ପଂହଚି ମୃତ ମଇଁଷିଗୁଡିକୁ ଟ୍ରାକ କଡକୁ କାଢି ଥିବା ବେଳେ ଇଂଜିନିୟରିଂ ଟିମ ପକ୍ଷରୁ ଟ୍ରାକ୍ ମରାମତି କରାଯାଇଥିଲା । ବର୍ତମାନ ଉକ୍ତ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ଥିବା ବେଳେ ଘଟଣାକୁ ଗୁରୁତର ସହ  ନେଇ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ରେଳବାଇ ପୋଲିସ ସୁରକ୍ଷା ବଳ( ଆରପିଏଫ)ଥାନା ଅଧିକାରୀ ପଙ୍କଜ କୁମାର ।
ଏ ନେଇ ଥାନା ଅଧିକାରୀ ପଙ୍କଜ କୁମାରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ  ଆଜି ଅପରାହ୍ନ ସାଢେ ୪ଟା ସମୟରେ ଡାଉନ ଟ୍ରାକରେ ନିଜ ଗତିରେ ଆଲେପି-ଧାନବାଦ ବୋକାରୋ ଏକ୍ସପ୍ରେସ ଟ୍ରେନ ରାୟଗଡା ଷ୍ଟେସନ ଅଭିମୁଖେ ଆସୁଥିବା ବେଳେ ପୀତାମହଲ ନିକଟ ରେଳ ଧାରଣାର ପୋଲ ନମ୍ବର ୩୪୬/୨୭ ପୂର୍ବରୁ ମଇଁଷି ପଲ ଉକ୍ତ ଟ୍ରାକରେ ଯାଉଥିଲେ । ଫଳରେ ଟ୍ରେନ ସମସ୍ତ ମଇଁଷିଗୁଡିକ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ୩୦ଟି ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ମଇଁଷି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ଉକ୍ତ ମଇଁଷିକୁ ଚିକିତ୍ସା ନିମନ୍ତେ ଥାନା ଅଧିକାରୀ ପଙ୍କଜ କୁମାର ସ୍ଥାନୀୟ ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ । ତେବେ ୧୨ଫୁଟ ତଳେ ଥିବା ଉକ୍ତ ରେଳ ଧାରଣାର ଦୁଇ ପାଶ୍ୱର୍ରେ କେବଳ କଂକ୍ରିଟ ନାଳ ରହିଥିବା ବେଳେ ବାହାରକୁ ଯିବା ପାଇଁ କୌଣସି ବାଟ ନ ଥିବାରୁ ମଇଁଷିମାନେ ଆଉ ଟ୍ରାକ ପାର କରିପାରି ନ ଥିଲେ ।
ତେବେ ଟ୍ରେନ ଆସିବା ପୂର୍ବରୁ ପୀତାମହଲ ରେଳ ଫାଟକରେ ଗେଟ୍ ପଡିଥିବା ବେଳେ କିପରି ଭାବେ ଏତେ ଗୁଡାଏ ମଇଁଷି ରେଳଧାରଣା ଦେଇ ଯାଉଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ମଇଁଷି ପଲକୁ କେହି ବ୍ୟବସାୟୀମାନେ ଚୋରା ଚାଲାଣ କରିବାକୁ ରେଳଧାରଣା ଦେଇ ନେଉଥିଲେ ନା ସ୍ଥାନୀୟ ଅଂଚଳର କେହି ମାଲିକ ମଇଁଷିମାନଙ୍କୁ ଚରିବା ପାଇଁ ଛାଡି ଦେଇଥିଲେ ତାହା ସ୍ପଷ୍ଟ ହୋଇ ପାରି ନ ଥିବା ଥାନା ଅଧିକାରୀ ପଙ୍କଜ କୁମାର ପ୍ରକାଶ କରିଛନ୍ତି ।
ସମ୍ବନ୍ଧିତ ଖବର