୩୧ ଗ୍ରାମର ବ୍ରାଉନ ସୁଗାର ଓ ଏକଲକ୍ଷ ଟଙ୍କା ଜବତ; ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଦିନ ଧରି ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶାର ବ୍ୟବସାୟ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ସାମନ୍ତରାପୁରରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୧ ଗ୍ରାମ ବ୍ରାଉନ ସୁଗାର ଓ  ୧ ଲକ୍ଷ ଟଙ୍କା ଜବତ କରିଛି ପୁଲିସ ।

ସୂଚନାନୁସାରେ, ଆଜି କୌଣସି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନଥାନା ଆଇଆଇସି ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମରେ ଏସ୍ଆଇ ଅନୁଭା ଦାସ, ଦିଗବିଜୟ ବିଶ୍ୱାଳ, ଆର୍ ଆର୍ ଦାସ, ଏଏସ୍ଆଇ ବସନ୍ତ କୁମାର ପଟ୍ଟନାୟକ, କନଷ୍ଟେବଳ ଅବ୍ଦୁଲ ମାସି ଖାଁ, ମନୋରାମା ସେଠୀ, ଅନୀତା ତରାଇ, ଓଡ଼ିଶା ସଶସ୍ତ୍ର ବଳ ଯବାନ ନିହାରିକା ପ୍ରଧାନ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ର ଅନ୍ୟ ସଦସ୍ୟ ସାମିଲ ଥିଲେ ।

ସକାଳ ସାଢ଼େ ୬ଟା ବେଳେ ପୁଲିସ୍ ଟିମ୍ ସାମନ୍ତରାପୁର ସ୍ୱପ୍ନେଶ୍ୱରସାହିରେ ଚଢ଼ଉ କରିଥିଲେ । ଚଢ଼ଉରେ ଟୁନୀ ଦଳାଇ (୩୫)ଙ୍କ ଘରୁ ୩୦ଗ୍ରାମ ୪୧ ମିଲିଗ୍ରାମ୍ ବ୍ରାଉନ ସୁଗାର, ବ୍ରାଉନ ସୁଗାର ପ୍ୟାକେଟ୍ କରିବା ସାମଗ୍ରୀ ସହ ବ୍ରାଉନ ସୁଗାର ବିକ୍ରି କରି ରଖିଥିବା ୧ଲକ୍ଷ ୮୦୦ଟଙ୍କା ଜବତ କରାଯାଇଥିଲା ।

ଚଢ଼ଉ ସମ୍ପର୍କରେ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଚଢ଼ଉ ପ୍ରାୟ ଅଢ଼େଇ ଘଂଟା ଧରି ଚାଲିଥିଲା । ଏଥିରେ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ । ଏନେଇ ବେଆଇନ ନିଶାଦ୍ରବ୍ୟ କାରବାର ଆଇନରେ ୨୨୬/୨୦୨୧ରେ ମାମଲା ରୁଜୁ କରାଯିବା ସହ ଅପରାହ୍ଣରେ ଉକ୍ତ ଅଭିଯୁକ୍ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର