ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାରେ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଚିତ୍ରକୋଣ୍ଡା ଥାନା ପକ୍ଷରୁ ଏକ ବିଶାଳ ସଚେତନତା ଶୋଭଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ବ୍ୟାପି ଚାଲିଥିବା ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରାରେ ଆଜି ଚିତ୍ରକୋଣ୍ଡା ସଦର ମହକୁମାରେ ଶୋଭଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ସଚେତନତା ଶୋଭଯାତ୍ରା ଚିତ୍ରକୋଣ୍ଡା ଥାନାର ସମସ୍ତ ପୋଲିସ କର୍ମଚାରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଚିତ୍ରକୋଣ୍ଡାର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Advertisment

ଏହି ସଚେତନତା ଶୋଭାଯାତ୍ରାରେ ମୁଖ୍ୟତଃ ଚାରିଚାକିଆ ଯାନ ଚଲାଇଲା ବେଳେ ସିଟ ବେଲ୍ଟ ବାନ୍ଧିବା, ମୋଟର ସାଇକେଲ ଚଲାଇଲା ବେଳେ ହେଲମେଟ୍‌ ବ୍ୟବହାର କରିବା, ମୋଟର ସାଇକେଲରେ ଦୁଇ ଜଣରୁ ଅଧିକ ନ ବସିବା, ମଦ ପିଇ ଗାଡି ନ ଚଲେଇବା, ଗାଡି ଚଲେଇବା ବେଳେ ଗାଡିର ସମସ୍ତ କାଗଜପତ୍ର ପାଖରେ ରଖିବା, ଦ୍ରୁତଗତିରେ ଗାଡି ନ ଚଳାଇବା ପ୍ରଭୁତି ନିୟମ ସମ୍ୱନ୍ଧରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏହି ଶୋଭାଯାତ୍ରାକୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ୟପ୍ରକାଶ ନାୟକ ସହ ସଂଗ୍ରାମ କେଶରୀ ପାଇକରାୟ, ନୀଳାଦ୍ରୀ ଚରଣ ବିଶ୍ଵାଳ, କ୍ରିଷ୍ଠ ସେବକ ବାଘ ପରିଚାଳନା କରିଥିଲେ। ଏହି ଶୋଭାଯାତ୍ରା ଚିତ୍ରକୋଣ୍ଡା ଚିତ୍ରକୋଣ୍ଡା ମାର୍କେଟ, ହାଟ, କଲୋନୀ ବୁଲି ସମସ୍ତ ଲୋକଙ୍କୁ ସଚେତନ କରାଇଥିଲେ। ଏବଂ ଯେଁଉ ମାନେ ନିୟମ ସବୁ ମାନି ହେଲମେଟ ପିନ୍ଧି ଯାଉଥିଲେ ସେମାନଙ୍କୁ ଫୁଲ ଦେଇ ଉତ୍ସାହିତ କରିଛନ୍ତି।