ରାଉରକେଲା: ଅର୍ଥ ମଞ୍ଜୁରି ସତ୍ତ୍ବେ ଆଗଉନି ରାଉରକେଲା-ଜରେଇକେଲା ଜାତୀୟ ରାଜପଥ (୩୨୦-ଡି)। କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣାକୁ ଇତି ମଧ୍ୟରେ ୮ ବର୍ଷ ବିତିଯାଇଛି। ହେଲେ ନିର୍ମାଣ ପାଇଁ ମାଟି ମୁଠାଏ ପଡ଼ିନି। ରାସ୍ତା ନିର୍ମାଣ ପାଇଁ ଗତ ୪ ମାସ ପୂର୍ବରୁ ବନ୍ଧମୁଣ୍ଡା-ଜରେଇକେଲା (ଝାଡ଼ଖଣ୍ଡ ସୀମା) ରାସ୍ତା ପାର୍ଶ୍ବରେ କେତୋଟି ଗଛ କାଟି କାମ ସାରି ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଯୁକ୍ତ ସମନ୍ବୟ ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି। ଦାୟିତ୍ବରେ ଥିବା ଅଧିକାରୀଙ୍କ ପକ୍ଷରୁ ସେତେଟା ତତ୍ପରତା ପ୍ରକାଶ ପାଉନି। ନିର୍ମାଣ କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ କେନ୍ଦ୍ର ସରକାର ୧୫୬ କୋଟି ୨୯ ଲକ୍ଷ ଟଙ୍କା ମଞ୍ଜୁର କରି ସାରିଛନ୍ତି। ଟଙ୍କା ସେମିତି ପଡ଼ିଛି। ଝାଡ଼ଖଣ୍ଡ କିମ୍ବା ରାଉରକେଲା ପାର୍ଶ୍ବରୁ କାମ ଆରମ୍ଭ ହେଉନି। ଝାଡ଼ଖଣ୍ଡ ଜରେଇକେଲାରୁ ରାଉରକେଲା ଜଲଦା ‘ଏ’ ବ୍ଲକ କାଟିନ୍ ଛକ ୧୪୩ ନଂ ଜାତୀୟ ରାଜପଥକୁ ଯୋଡ଼ିବ। ଟେଣ୍ଡର ପାଇଁ କୌଣସି ପ୍ରକିୟା ମଧ୍ୟ ଆରମ୍ଭ ହେଉନାହିଁ। କେବେ ଟେଣ୍ଡର ହେବ ? କାହାରି ପାଖରେ ଉତ୍ତର ନାହିଁ। ଗତ ୨୦୨୨ ଅକ୍ଟୋବର ୮ରେ ଆର୍ଏସ୍ପି ସହରସେବା ବିଭାଗ ମହାପ୍ରବନ୍ଧକ ରାଉରକେଲା ଏନ୍ଏଚ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଜାତୀୟ ରାଜପଥ (୩୨୦-ଡି) ନିର୍ମାଣ ସଂକ୍ରାନ୍ତରେ ଚିଠି ଲେଖିଥିଲେ। ଜାତୀୟ ପଥ କେଉଁକେଉଁ ବାଟ ଦେଇଗଲେ ଆର୍ଏସ୍ପି ରିଂ ରୋଡ ଓ ଅନ୍ୟ ରାସ୍ତାର ଯାତାୟତରେ ଯେମିତି କୌଣସି ବାଧା ଉପୁଜିବ ନାହିଁ, ସେ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଥିଲେ। ଏହା ସତ୍ତ୍ବେ ଏନ୍ଏଚ୍ର ବିଭାଗୀୟ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏ ସଂକ୍ରାନ୍ତରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଦୃ୍ଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟରେ ଏନ୍ଏଚ୍ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବାରମ୍ବାର ଏ ସମ୍ପର୍କରେ ଅବଗତ କରିଥିଲେ ବି କାମ ଆଗଉନି। ଉଲ୍ଲେଖନୀୟ ଯେ ଗତ ୨୦୧୫ ଡିସେମ୍ବର ୧୭ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଉରକେଲାରୁ ପୂର୍ବ ସିଂହଭୂମର ମନୋହରପୁର ଓ ଚକ୍ରଧରପୁରକୁ ସଂଯୋଗ କରୁଥିବା ରାସ୍ତାକୁ ଜାତୀୟ ରାଜପଥ (୩୨୦ ଡି) ଭାବେ ଘୋଷଣା କରାଗଲା ବୋଲି ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଚିଠି ଲେଖି ଜଣାଇଥିଲେ। ରାଉରକେଲା ଓ ଝାଡ଼ଖଣ୍ଡର ମନୋହରପୁର ମଧ୍ୟରେ ଜାତୀୟ ରାଜପଥ ନିର୍ମାଣ ହେଲେ ଗମନାଗମନ ସୁଗମ ହେବ। ଉଭୟ ଝାଡ଼ଖଣ୍ଡ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ ବେଶ୍ ଉପକୃତ ହେବ। ଝାଡ଼ଖଣ୍ଡ ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୨୦ ଚକ୍ରଧରପୁର ନିକଟରେ ସୋନୁଆ, ଗୋଏଲକେରା, ମନୋହରପୁର, ଜରେଇକେଲା ଦେଇ ରାଉରକେଲାର ବିଶ୍ରା, ବନ୍ଧମୁଣ୍ଡା ଦେଇ ୧୪୩ନଂ ଜାତୀୟ ରାଜପଥକୁ ହକିଛକ ନିକଟରେ ସଂଯୋଗ କରୁଥିବା ରାସ୍ତାଟି ୩୨୦ -ଡି ଜାତୀୟ ରାଜପଥ ହେବ। ରାଉରକେଲାରୁ ଚକ୍ରଧରପୁର ପର୍ଯ୍ୟନ୍ତ ୯୯.୭୪ କି.ମି.। କେବଳ ଜରେଇକେଲାରୁ ରାଉରକେଲା ଜଲଦା ପର୍ଯ୍ୟନ୍ତ ମାତ୍ର ୪୧.୧୦ କି.ମି. ଜାତୀୟ ରାଜପଥ ନିର୍ମାଣ ହେବ।