ବାରିପଦାରେ ଚାଲିଛି ଘରୋଇ ଗ୍ୟାସ୍‌ ସିଲିଣ୍ଡର କଳାବଜାରୀ, ୩୩ ଗ୍ୟାସ୍‌ ସିଲିଣ୍ଡର ଜବତ

ଜଣଙ୍କ ଘରୁ ୨୭ ଘରୋଇ ଗ୍ୟାସ ସିଲିଣ୍ଡର ଆସିଲା କୁଆଡ଼ୁ

ବାରିପଦା: ଆଜି କୌଣସି ସୂତ୍ରରୁ ଖବର ପାଇ ବାରିପଦା ଟାଉନ୍‌ ଥାନା ପୁଲିସ ସ୍ଥାନୀୟ ବଡ଼ବଜାର, ମାଉସୀବାଡ଼ିର ଜିତେନ୍ଦ୍ର ଦାସ(୪୮)ଙ୍କ ଘରୁ ୩୩ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଜବତ ୩୩ ସିଲିଣ୍ଡର ମଧ୍ୟରୁ ୨୭ଟି ଘରୋଇ ବ୍ୟବହାର ନିମନ୍ତେ ଥିବାବେଳେ ୬ଟି କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର୍‌ ରହିଛି। ତେବେ ଜଣଙ୍କ ଘରୁ ଏତେସଂଖ୍ୟକ ଘରୋଇ ବ୍ୟବହୃତ ଗ୍ୟାସ୍‌ ସିଲିଣ୍ଡର ଜବତ ହେବା ଆଶ୍ଚର୍ଯ୍ୟ କରୁଛି।

ଜବତ ସିଲିଣ୍ଡରଗୁଡ଼ିକୁ ବାରିପଦା ଟାଉନ୍ ଥାନାରେ ରଖାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ତେବେ ସିଲିଣ୍ଡରଗୁଡ଼ିକର ବୈଧତା ଏବଂ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ସ୍ପଷ୍ଟ ସୂଚନା ନିମନ୍ତେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପୁଲିସ୍‌ ସୂଚନା ଦେଇଥିବା ଶ୍ରୀ ସେନାପତି ସୂଚନା ଦେଇଛନ୍ତି। କୌଣସି ପ୍ରକାର ବେଆଇନ କାରବାର ହେଉଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ତେବେ ବାରିପଦାରେ ସହରରେ ଗ୍ୟାସ୍‌ ସିଲିଣ୍ଡର କଳାବଜାରୀ ହେଉଥିବା ସ୍ପଷ୍ଟ ହୋଇଛି। ଉଜ୍ଜ୍ବଳା ଯୋଜନାରେ ଗରୀବ ଲୋକଙ୍କ ପାଇଁ ଘରୋଇ ବ୍ୟବହାର ନିମନ୍ତେ ଆସୁଥିବା ଗ୍ୟାସ୍‌କୁ କିଛି ମୁନାଫାଖୋର ବ୍ୟବସାୟୀ ଚଞ୍ଚକତା କରି କଳାବଜାରୀ କରୁଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସୁଥିଲା। ଆଜି ଏକକାଳୀନ ଜଣଙ୍କ ଘରୁ ଏତେସଂଖ୍ୟକ ଘରୋଇ ବ୍ୟବହୃତ ଗ୍ୟାସ୍‌ ସିଲିଣ୍ଡର ଜବତ ହେବା ଏହା ପ୍ରମାଣିତ କରିଛି। ‌ଏହିପରି ଆହୁରି ଏକାଧିକ ବ୍ୟକ୍ତି ଏହି ଗ୍ୟାସ ସିଲିଣ୍ଡର କଳାବଜାରୀ କରୁଥିବା ନେଇ ତଦନ୍ତ କରିବାକୁ ଦାବି ହୋଇଛି।

 

ସମ୍ବନ୍ଧିତ ଖବର