ବ୍ରହ୍ମପୁର: ଡାକ୍ତର ଅଭାବ ସାଙ୍ଗକୁ ଦୀର୍ଘଦିନ ଧରି ଗୁରୁତର ସ୍ବାସ୍ଥ୍ୟସେବା ସମସ୍ୟାରେ ଛନ୍ଦି ହୋଇଥିବା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପ୍ରତି ସରକାର ଦୟା ଦେଖାଇଛନ୍ତି। ଜନସାଧାରଣ, ବିଭିନ୍ନ ସଂଗଠନର ଧାରଣା, ଦାବି, ବିକ୍ଷୋଭ ପରେ ଶେଷରେ ୩୫ଜଣ ପିଜି ଡାକ୍ତରଙ୍କୁ ଏମ୍‌କେସିଜିରେ ନିଯୁକ୍ତି ବିଜ୍ଞପ୍ତି ଜାରି କରି ଏଠାରେ ଡାକ୍ତର ଅଭାବ ଜନିତ ସମସ୍ୟାର ମୁକାବିଲା ଉଦ୍ୟମ କରାଯାଇଛି। କିନ୍ତୁ ଏମାନଙ୍କୁ ଅଧ୍ୟୟନ ପରବର୍ତ୍ତୀ ନିଯୁକ୍ତି ଯୁକ୍ତି ଅନୁସାରେ ୧ବର୍ଷ ପାଇଁ ଅର୍ଥାତ ଆସନ୍ତା ୨୦୨୩ ଜୁନ ପର୍ଯ୍ୟନ୍ତ ପୋଷ୍ଟିଂ ଦିଆଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସରକାର ଏଠାରୁ ସବୁ ଗୁରୁତ୍ବପୂର୍ଣ ବିଭାଗର ୨୫ ଜଣ ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କୁ ଗତ ୩ ମାସ ଭିତରେ ଅନ୍ୟ ସ୍ଥାନକୁ ବଦଳି କରି ଶୂନ୍ୟସ୍ଥାନ ଭରଣା କରିବାକୁ ୩୫ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପିଜି ଡାକ୍ତରମାନେ ବରିଷ୍ଠ ଡାକ୍ତରଙ୍କ ଅଭାବ ପୂରଣ କରି ପାରିବେ ତ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଡାକ୍ତର ନିଯୁକ୍ତି ଦେଇ କେବଳ ଖାଲି ପଦବି ପୂରଣ କରିଦେଲେ ହେବ ନାହିଁ, ଅଭିଜ୍ଞ ଡାକ୍ତରଙ୍କୁ ଏମ୍‌କେସିଜିରେ ନିଯୁକ୍ତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୧ ତାରିଖରେ ଏମ୍‌କେସିଜିରୁ ବିଭିନ୍ନ ବିଭାଗର ୧୩ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ବଦଳି କରା ଯାଇଥିଲା। କିନ୍ତୁ ତାଙ୍କ ସ୍ଥାନରେ ଏମ୍‌କେସିଜି ମେଡିକାଲକୁ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନପୂରୁଣୁ ପୁଣି ଥରେ ଏମ୍‌କେସିଜିରୁ ୮ଜଣ ବିଶେଷଜ୍ଞ ଡାକ୍ତରଙ୍କ ବଦଳି ହେଲା। ଏମ୍‌କେସିଜିରୁ ବାରମ୍ବାର ଡାକ୍ତରଙ୍କୁ ଅନ୍ୟ ଡାକ୍ତରଖାନାକୁ ନିଆ ଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ତରଫରୁ ଧାରଣା ଦିଆ ଯାଇଥିଲା। ପ୍ରକାଶ ଥାଉ କି ଏମ୍‌କେସିଜି ପାଇଁ ମଞ୍ଜୁର ମୋଟ ୪୨୬ ଡାକ୍ତର ପଦବି ମଧ୍ୟରୁ ୧୧୩ ଡାକ୍ତର ପଦବି ଖାଲି ପଡ଼ିଛି। ଏହାପରେ ପୁଣି ଗତ ୨୬ତାରିଖରେ ଏମ୍‌କେସିଜିରୁ ଏ ବର୍ଷ ତୃତୀୟ ଦଫାରେ ଆଉ ୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ଡେପୁଟେସନ୍‌ରେ ଅନ୍ୟ ମେଡିକାଲକୁ ନିଆଯାଇଥିଲା। ତାଙ୍କ ବଦଳରେ ୨ଜଣ ଡାକ୍ତର ଏଠାକୁ ଆସିଥିଲେ। ଏହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ବିରୋଧାଭାସ ଦେଖା ଦେଇଥିଲା। ଏବେ ସରକାର ଏମ୍‌କେସିଜି ପାଇଁ ୩୫ଜଣ ପିଜି ଡାକ୍ତର ବର୍ଷକ ପାଇଁ ନିଯୁକ୍ତି କରି କାମ ଚଳାଇବାକୁ ଉଦ୍ୟମ କରିଛନ୍ତି।