ଜଗତସିଂହପୁର ଜିଲ୍ଲାରେ ମାଡ଼ିଲାଣି; ମୁମ୍ବାଇରୁ ଉଦ୍ଧାର ପ୍ରେମୀଯୁଗଳଙ୍କ ସଂସ୍ପର୍ଶରେ ୩୫ ପୁଲିସ୍‌

ଚେତୁନାହାନ୍ତି, କରୋନା କଟକଣାକୁ ଫୁ; ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଭୁଲିଗଲେଣି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଯାଉଛି। ନିକଟରେ ତିର୍ତୋଲ ପୁଲିସ୍‌ କରୋନା ପ୍ରବଣ ମହାରାଷ୍ଟର ମୁମ୍ବାଇ ମହାନଗରୀରୁ ଉଦ୍ଧାର କରି ଆଣିଥିବା ଏକ ପ୍ରେମୀଯୁଗଳଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଚିନ୍ତା ବଢ଼ିଲାଣି। ଏହି ପ୍ରେମୀଯୁଗଳଙ୍କ ମଧ୍ୟରୁ ବଶ୍ୟ ପ୍ରେମିକ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ପ୍ରେମିକା ଓ ତାଙ୍କ ଶିଶୁ ପୁତ୍ରଙ୍କ ରିପୋର୍ଟ ନେଗେଟିଭ୍‌ ଥିବାରୁ ସେମାନଙ୍କୁ ସଂଗରୋଧରେ ରଖାଯାଇଛି। କିନ୍ତୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପୁଲିସ୍‌ କର୍ମଚାରୀ ଓ ପରିବାରସଦସ୍ୟଙ୍କ ଚିନ୍ତା ବଢ଼ିଯାଇଛି। ପ୍ରତିଦିନ ଜଗତସିଂହପୁର ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏମିତିକି ଜିଲ୍ଲାର ଗାଁ ଗାଁରେ ଏବେ କରୋନା ଲକ୍ଷଣ। ତେବେ ଗତ ବର୍ଷର ପ୍ରଥମ ଲହର ବେଳେ ବ୍ୟାପକ ଭାବେ ନମୁନା ପରୀକ୍ଷଣ ହୋଇଥିଲା। କିନ୍ତୁ ଏଥର ଆଦୌ ପରୀକ୍ଷା ବ୍ୟବସ୍ଥା ନାହିଁ। ଅଧିକାଂଶ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି କଟକରେ ଚିକିତ୍ସାଧୀନ ଥବା ବେଳେ ଚିହ୍ନଟ ହୋଇଛନ୍ତି। ପାରାଦୀପ ବନ୍ଦରରେ ଏକ ଜାହାଜରୁ ୧୪ ଜଣ କୋଭିଡ୍‌ ପଜିଟିଭ୍‌ ବାହାରିଥିବା ବେଳେ ତିର୍ତୋଲ, ବାଲିକୁଦା, ଜଗତସିଂହପୁର, ବିରିଡ଼ି, ରଘୁନାଥପୁରରେ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଲାଣି। ସରକାରୀ ଭାବେ କୌଣସି ସର୍ଭେ ହୋଇ ନଥିବାରୁ ଗାଁଗଣ୍ଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ ହେବ ଓ ବଡ଼ ଧରଣର ସଂକ୍ରମଣକୁ ଏଡ଼ାଇ ଦିଆନଯାଇପାରେ ବୋଲି କୁହାଯାଉଛି।

ଏଣେ କୋଭିଡ୍‌ର ସମ୍ଭାବ୍ୟ ଦ୍ବିତୀୟ ଲହର ମୁକାବିଲା ପାଇଁ ପୂର୍ବଭଳି ପ୍ରସ୍ତୁତି ନଥିବାରୁ ଅଧିକ ସଂଖ୍ୟାରେ ଧନଜୀବନହାନି ଆଶଙ୍କା ପ୍ରକାଶ ପାଇଲାଣି। ୨ ମାସ ପୂର୍ବରୁ ଜିଲ୍ଲାରେ ‘ଶୂନ’ କରୋନା ଆକ୍ରାନ୍ତ ନେଇ ସମସ୍ତେ ହାଲ୍‌କା ପଡ଼ିଗଲେ ଓ ଟିଏମ୍‌ସିଗୁଡ଼ିକ ବେହାଲ ହୋଇଗଲା। ହଠାତ୍ କରୋନା ସଂକ୍ରମଣ ବୃଦ୍ଧି ପାଇଲେ ସ୍ଥିତି ଯେ ଅଣାୟତ୍ତ ହେବ ଏଥିରେ ଦ୍ବିମତ ନାହିଁ। ରାଜ୍ୟସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ଓ ଚିକିତ୍ସା ପ୍ରସ୍ତୁତି ନେଇ ସରକାରଙ୍କ ନିର୍ଦ୍ଦେଶନାମା ଆସି ନଥିଲେ ହେଁ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା ପାଇଁ କିପରି ପ୍ରସ୍ତୁତ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଆଜି ତିର୍ତୋଲ ବ୍ଲକ୍‌ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାରି ବର୍ଷ ତଳେ ତି‌ର୍ତୋଲ ଅଂଚଳରୁ ଏକ ପ୍ରେମୀଯୁଗଳ ମୁମ୍ବାଇ ଫେରାର ହୋଇଯାଇଥିଲେ। ସେହି ନାବାଳିକା ଥିବା ଝିଅଟି ଏବେ ସାବାଳିକା। ମାତ୍ର ଯୁବତୀଙ୍କ ବାପା ଏ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବାରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ତିର୍ତୋଲ ପୁଲିସ ଏହି ଦୁଇ ଜଣଙ୍କୁ ମୁମ୍ବାଇରୁ ଉଦ୍ଧାର କରିଛି। ଗତକାଲି ଅଭିଯୁକ୍ତ ଯୁବକଙ୍କୁ କୋର୍ଟଚାଲାଣ କରିବା ପୂର୍ବରୁ ମଣିଜଙ୍ଗା ହସ୍‌ପିଟାଲକୁ ପରୀକ୍ଷା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ମାତ୍ର ଉକ୍ତ ଯୁବକଙ୍କ ପତ୍ନୀ ଓ ଛୋଟ ପୁଅଟିର ରିପୋର୍ଟ ନେଗେଟିଭ୍ ଆସିଥିଲା। ପଜିଟିଭ୍ ଚିହ୍ନଟ ଯୁବକଙ୍କୁ ସମ୍ ହସ୍‌ପିଟାଲ ପଠାଯାଇଥିବା ବେଳେ ତାଙ୍କ ପତ୍ନୀ ଓ ଛୋଟ ପୁଅକୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ଅନ୍ୟପଟେ ଏହି ଯୁବକ ଜଣକ ପଜିଟିଭ୍ ଚିହ୍ନଟ ପରେ ତିର୍ତୋଲ ଥାନାରେ ତାଙ୍କ ସଂସ୍ପର୍ଶରେ ପ୍ରାୟ ୩୫ ଜଣ ପୁଲିସ କର୍ମଚାରୀ ଆସିଥିବାରୁ ସେମାନଙ୍କୁ ୫ ଦିନ ସଙ୍ଗରୋଧରେ ରଖାଯାଇଛି। ଏହାପରେ ସେମାନଙ୍କର ସ୍ବାବ୍ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ଆଜିର ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ମୋଟ୍ ୯୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯,୧୪୮ ଜଣ ସୁସ୍ଥ ଓ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ହାଟ ଓ ବଜାର ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ପୂର୍ବରୁ ସ୍ବାବ୍ ପରୀକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ଏବେ ସେମିତି ଢଙ୍ଗରେ ଆରମ୍ଭ କରାଯାଇ ନାହିଁ। କରୋନା ହଟ୍‌ସ୍ପଟ୍‌ ଛତିଶଗଡ଼ ସୀମାକୁ ଲାଗି ରହିଥିବା ପଶ୍ଚିମ ଓ ଦକ୍ଷିଣଓଡ଼ିଶାର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। ଏଣୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଯଦି କରୋନା କଟକଣା ଆଇନକୁ କଡ଼ାକଡ଼ି ପାଳନ ନକରେ, ତେବେ ପରିସ୍ଥିତି ବିଗିଡ଼ିଯିବ। ପାରାଦୀପ ସମୁଦ୍ର ବେଳାଭୂମିରେ ଛୁଟି ଦିନରେ ବେଳାଭୂମିରେ ଯେମିତି ହଜାର ହଜାର ଲୋକଙ୍କ ଭିଡ଼ ହେଉଛି, ତାହା ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। ଲାଗୁଛି ସତେ ଯେମିତି କରୋନା କଟକଣା ଆଉ ନାହିଁ। ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ପ୍ରସଙ୍ଗ ମୂଲ୍ୟହୀନ ମନେ ହେଉଛି। ଏଥିରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ଆଦୌ ପଦକ୍ଷେପ ନେଉ ନାହିଁ। ଏଣେ ପ୍ରତି ସାପ୍ତାହିକ ହାଟରେ ଭିଡ଼ ନିୟନ୍ତ୍ରଣ ବାହାରେ ରହୁଛି। ଗତ ବର୍ଷ ଜିଲ୍ଲାରେ ପ୍ରତ୍ୟେକ ବ୍ଲକ୍ ଓ ପଂଚାୟତସ୍ତରରେ ତତ୍କାଳ ସଂଗରୋଧ ଖୋଲାଯାଇଥିଲା। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଙ୍ଗ ଦେବା ସହ ଖଟିଆ, ଗଦି, ବେଡସିଟ୍, ତକିଆ, ବାଲଟି, ମଗ, ସାନିଟାଇଜର ଠାରୁ ଆରମ୍ଭ କରି ଖାଇବା ଓ ରହିବା ସବୁ କିଛି ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ଦୀର୍ଘ ଦିନ ପରେ ଏହା ଖୋଜା ପଡ଼ିବାରୁ ସେସବୁର ପତ୍ତା ମିଳୁ ନାହିଁ। ଏଣୁ ସଂକ୍ରମଣ ବଢ଼ିବା ପୂର୍ବରୁ ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର