ଜୟପୁର:ଗତ ମାସକ ହେବ ଜୟପୁର ଉପଖଣ୍ଡରେ ଶିଶୁଙ୍କୁ ଜ୍ବର, କାଶ ସହ ସଂକ୍ରମଣ ହେବା ସହ ଗୁରୁତର ଅବସ୍ଥା ଲାଗି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ୱାର୍ଡର ସମସ୍ତ ୩୬ଟି ଯାକ ଶଯ୍ୟାରେ ଶିଶୁମାନେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହୁଥିବା ଦେଖିବାକୁ ମିଳିଛି। ବହୁ ସମୟରେ ଶଯ୍ୟା ନ ମିଳିଲେ ତଳେ ଶଯ୍ୟା ପକାଯାଇ ସେବା ଯୋଗାଯାଉଥିବା ଦେଖିବାକୁ ମିଳିଛି। ଖାସ୍ କରି ଜୟପୁର ବ୍ଲକର ବିଭିନ୍ନ ଗାଁ ବାଙ୍କବିଜା, ଏକମ୍ବା,ଗାଗନାପୁର, କଙ୍କଡାହାଣ୍ଡି, ଉମୁରୀ, ରଣ୍ଡାପାଲ୍ଲୀ, ତେଲିଗୁଡା, ଡଙ୍ଗରଚିଂଛି, ଆମ୍ବାଗୁଡା, ବିଜେ-୨ ଆଦି ଗାଁର ଛୋଟ ପିଲାଙ୍କୁ ନେଇ ଅଭିଭାବକମାନେ ଆସୁଥିବା ଦେଖିବାକୁ ମିଳିଛି। ପ୍ରଥମେ ସାମାନ୍ୟ ଥଣ୍ଡା, କାଶ ତାପରେ ଶିଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହେବା ସହ ଗୁରୁତର ହୋଇପଡୁଛନ୍ତି।
ଗୁରୁତର ଅବସ୍ଥାରେ ବହୁ ଶିଶୁଙ୍କୁ ଅଭିଭାବକମାନେ ଡାକ୍ତରଖାନାରେ ଆଣି ଭର୍ତ୍ତି କରୁଛନ୍ତି। ତିନିରୁ ସପ୍ତାହକ ପର୍ଯ୍ୟନ୍ତ ବିଭିନ୍ନ ଆଣ୍ଟିବାଇଟିକ୍ ଓ ଔଷଧ ଖାଇବା ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଡାକ୍ତରଖାନାରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ବି କିଛି ଶିଶୁ ପୁଣି ଗୁରୁତର ହୋଇ ଡାକ୍ତରଖାନାକୁ ଫେରୁଥିବା ଦେଖିବାକୁ ମିଳିଛି। ଅଚାନକ ଭାବେ ଶିଶୁମାନଙ୍କୁ ଥଣ୍ଡା,କାଶ ହେବା ପରେ ଗୁରୁତର ଭାବେ ଜ୍ବର ବଢ଼ିବା ସହ ଶିଶୁମାନେ ଅଚେତ ହୋଇ ପଡ଼ୁଥିବାପରେ ଅଭିଭାବକମାନେ ଭୟଭୀତ ହୋଇ ପଡୁଥିବା କହିଛନ୍ତି କିଛି ଅଭିଭାବକ। ଏପରିକି ଜ୍ବର ପରେ ଯଦିଓ ଶିଶୁ ମାନେ ସୁସ୍ଥ ହେବା ପରେ ଓଜନ ଅଚାନକ କମିଯିବା ସହ ଦୁର୍ବଳ ହୋଇଯାଉଛନ୍ତି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ୱାର୍ଡରେ ୩୬ଜଣ ଶିଶୁ ଏଭଳି ଥଣ୍ଡା,ଜ୍ବରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସେଭଳି ଆଜି ୫ଜଣ ଶିଶୁ ସୁସ୍ଥ ହେବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା। ଏହା ବାଦ ବି ସବୁ ଶଯ୍ୟାରେ ପିଲା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ଭାଇରାଲ ଫିଭର୍ , ସଂକ୍ରମଣରେ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି , ୩ରୁ ୪ଦିନ ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା କହିଛନ୍ତି ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପାତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/jpr-dhh-1.jpg)