ଭଦ୍ରକ: ଭଦ୍ରକ ଜିଲ୍ଲାର ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ଦିନ ସୁଦ୍ଧା ମୋଟ ୩୬୪୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ଦ୍ବିତୀୟ ଦିନରେ ୬ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ୧୮ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ଦଳରୁ ୬ ଜଣ, କଂଗ୍ରେସ ଦଳରୁ ୭ ଜଣ ଓ ବିଏସପିରୁ ୫ ଜଣ ପ୍ରାର୍ଥୀ ଭଦ୍ରକ ଉପ ଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କ ନିକଟରେ ନାମାନଙ୍କ ପତ୍ର ଦାଖଲ କରିଛନ୍ତି। ଆଜି ଜିଲ୍ଲାରେ ୨୭୪ ଜଣ ସରପଞ୍ଚ, ୧୭୨ ଜଣ ସମିତି ସଭ୍ୟ ଓ ୧୮୮୦ ଜଣ ୱାର୍ଡସଭ୍ୟ ପାଇଁ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ମୋଟ ୨୩୨୪ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତିନି ଦିନରେ ମଇଦାନରେ ମୋଟ ୩୬୪୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Advertisment

ଆଜି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ଦଳରୁ ୬ଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତିହିଡି ବ୍ଲକର ଅଧ୍ୟକ୍ଷା ତଥା ବିଜେଡିର ଜିଲ୍ଲା ମହିଳା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତ୍ ଲତା ନାୟକ ୭ ନମ୍ବର ଜିଲ୍ଲାପରିଦ ଜୋନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କର ଏଇ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ବଡଭାଇ ବିଜେଡି ନେତା ତଥା ରାଜ୍ୟ ତାଳଗୁଡ ନିଗମର ପୂର୍ବତନ ଅଧ୍ୟକ୍ଷ ଅଜୟ ନାୟକଙ୍କ ସମେତ ଦଳୀୟ ସମର୍ଥକ ଉପସ୍ଥିତ ଥିଲେ। ୨୪ ନମ୍ବର ଭଣ୍ଡାରିପୋରୀ ଜିଲ୍ଲା ପରିଷଦ ଜୋନରୁ ବିଜେଡିର ଟାଣୁଆ ଯୁବନେତା ଉତ୍କଳ କେଶରୀ ମହାନ୍ତି ନିଜର ଦଳୀୟ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚାନ୍ଦବାଲି ବ୍ଲକର ୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ବିଜେଡିର ଟାଣୁଆ ନେତା ବଳଭ୍ରଦ ଲେଙ୍କା ନିଜର ଦଳୀୟ ସମର୍ଥକ ଓ ପ୍ରସ୍ଥାବକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତର ବିଜେଡି ନେତ୍ରୀ ରୁଜାତା ପଣ୍ଡା ୬ ନମ୍ବର ଜିଲ୍ଲା ପରିଷଦ ଜୋନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଧାମନଗରର ୧୦ ନମ୍ବର ଜୋନ୍ ରୁ ଟୁନିଲତା ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନ ରୁ ବିଜେଡି ନେତ୍ରୀ ସ୍ମରଣିକା ସମଦର୍ଶନୀ ବଳ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେହିପରି କଂଗ୍ରେସ ଦଳରୁ ଆଜି ପ୍ରଥମ କରି ୭ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବନ୍ତ ବ୍ଲକର ୧୬ ନମ୍ବର ଜୋନ ରୁ ରୁବିନା ନାୟକ ଜିଲ୍ଲା ପରିଷଦ ପଦବୀରେ ନାମାଙ୍କନପତ୍ର ଦାଖଲ କରିଥିଲେ। ବନ୍ତ ବ୍ଲକର ୧୫ ନମ୍ବର ଜୋନ୍ ରୁ କଂଗ୍ରେସ ନେତା ପ୍ରଦ୍ୟୁମ୍ନ କୁମାର ଦାସ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୨୩ ନମ୍ବର ଭଣ୍ଡାରିପୋଖରୀ ଜୋନ ରୁ ପ୍ରଭାତ ନଳିନୀ ପଣ୍ଡା ନାମାଙ୍କପତ୍ର ଦାଖଲ କରିଛନ୍ତି। ୨୧ ନମ୍ବର ବାସୁଦେବପୁର ବ୍ଲକରୁ କବିତା ବାରିକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଧାମନଗର ବ୍ଲକର ୧୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ନିମାଇ ଚରଣ ଜେନା ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ବ୍ଲକର ୧୧ ନମ୍ବର ଜୋନ ରୁ ବାସନ୍ତିଲତା ବେହେରା ଓ ୧୦ ନମ୍ବର ଜୋନ୍ ରୁ ପ୍ରତିଭା ଦାସ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ବିଏସପି ପକ୍ଷରୁ ଆଜି ମୋଟ ୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୧୮ ନମ୍ବର ବାସୁଦେସବପୁର ଜୋନରୁ ସୁରେନ୍ଦ୍ର ମଲ୍ଲିକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚାନ୍ଦବାଲିର ୫ ନମ୍ବର ଜୋନରୁ ସୁକବେଦ ବାରିକ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତିହିଡି ବ୍ଲକର ୭ ନମ୍ବର ଜୋନ ରୁ ତୁଳସୀ ଦାସ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଏହି ବ୍ଲକର ୯ ନମ୍ବର ଜୋନରୁ ସର୍ବେଶ୍ବର ବେହେରା ଓ ବନ୍ତ ବ୍ଲକର ୧୫ ନମ୍ବର ଜୋନରୁ ବିଏସପି ଦଳ ପକ୍ଷରୁ କ୍ରିଷ୍ଣା ଜେନା ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ତୃତୀୟ ଦିନ ସୁଦ୍ଧା ବିଜେପି ପକ୍ଷରୁ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ଆଜି ମଧ୍ୟ ପ୍ରାର୍ଥୀମାନେ କୋଭିଡ କଟକଣାକୁ ମାନି ନିରାଡମ୍ବର ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।