ସେବାଶ୍ରମ ସ୍କୁଲରେ ୩୭ ଛାତ୍ରୀ ଅସୁସ୍ଥ, ୫ ଜଣ ଗୁରୁତର ସୂଚନା

ବାଲେଶ୍ୱର: ସେବାଶ୍ରମ ସ୍କୁଲର ୩୭ ଜଣ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ନିକଟ ନିଧିପଡ଼ାରେ ଥିବା ସରକାରୀ ବାଳିକା ସେବାଶ୍ରମର ଛାତ୍ରୀନିବାସରେ କିଛି ଛାତ୍ରୀ ସୋମବାର ଅସୁସ୍ଥ ହୋଇଯାଇଥିଲେ। ଧିରେ ଧିରେ ଆଜି ଏହି ସଂଖ୍ୟା ୩୭ରେ ପହଞ୍ଚିଛି। ଅସୁସ୍ଥ ଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୪ରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସମସ୍ତ ଅସୁସ୍ଥ ଛାତ୍ରୀମାନଙ୍କର ଚିକିତ୍ସା ଜାରି ଥିବା ବେଳେ ବାଲେଶ୍ୱର ଜିଲ୍ଲା ହସ୍‌ପିଟାଲର ସୁପରିଟେଣ୍ଡେଣ୍ଟ ସୁଧୀର ଘୋଷ କହିଛନ୍ତି, ସଂକ୍ରମଣ ଯୋଗୁଁ ପିଲାମାନେ ଅସୁସ୍ଥ ହୋଇଛନ୍ତି। ଆରମ୍ଭରୁ ଔଷଧର ବ୍ୟବସ୍ଥା କରାଯାଇଥିଲେ, ଏଭଳି ସ୍ଥିତି ଉପୁଜି ନଥାନ୍ତା। ସଂକ୍ରମଣ ଯୋଗୁଁ ପିଲାମାନଙ୍କୁ ଜ୍ୱର ଓ ବାନ୍ତି ହୋଇଛି।

ସୂଚନାଯୋଗ୍ୟ ସେବାଶ୍ରମ ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ପ୍ରାୟ ୧୯୬ ଜଣ ଛାତ୍ରୀ ପଢ଼ନ୍ତି। ଛାତ୍ରୀମାନେ ହଠାତ୍‌ ଅସୁସ୍ଥ ହେବା ପରେ କିଛି ଅଭିଭାବକ ସାମନ୍ୟ ଉତ୍ତେଜିତ ହୋଇଥିଲେ। ଘଟଣା ପାଇଁ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର