କୋରାପୁଟ: କୋରାପୁଟ ଜିଲ୍ଲାରେ ମାଣ୍ଡିଆ ମିଶନରେ ଦେଖିବାକୁ ମିଳିଛି ଗୁରୁତର ତ୍ରୁଟି। ରାଜ୍ୟସ୍ତରୀୟ ଉଚ୍ଚସ୍ତରୀୟ କମିଟି ଦେଇଥିବା ଟାର୍ଗେଟ୍ ହୋଇଛି ଗୁରୁତର ହେରଫେର। ପ୍ରଥମେ ଜିଲ୍ଲାକୁ ଟାର୍ଗେଟ ଦେଇ ପରେ ଟାର୍ଗେଟକୁ ହ୍ରାସ କରିବାରୁ ସୃଷ୍ଟିହୋଇଛି ବିରାଟ ସମସ୍ୟା। ଚାଷୀଙ୍କ ମହଲରେ ଦେଖିବାକୁ ମିଳିଛି ଦୃଢ ପ୍ରତିବାଦ। ରାଜ୍ୟସ୍ତରରେ ଦେଇଥିବା ମାଣ୍ଡିଆ ଟାର୍ଗେଟ ରୁ ପ୍ରାୟ ୪୦୬୬ କୁଇଣ୍ଟାଲ କାଟ ହେବାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଫଳରେ ନାକରେ କାନ୍ଦୁଛନ୍ତି କୋରାପୁଟ ଜିଲ୍ଲାର ୪୪୭ଜଣ ଚାଷୀ। ସେମାନଙ୍କଠାରୁ ମାଣ୍ଡିଆ କିଣାଯାଇ ଥିବାବେଳେ ସେମାନଙ୍କୁ ପଇସା ମିଳୁ ନ ଥିବା ଜଣାପଡିଛି। ଫଳରେ ଚାଷୀ ଏବେ ରାଜରାସ୍ତାକୁ ଓହ୍ଲେଇବା ପରି ପରିସ୍ଥିତ ସୃଷ୍ଟି ହେଲାଣି। ଗୋଦାମରେ ପଡିଛି ୪୪୭ ଚାଷୀଙ୍କ ୩୯୭୨ କୁଇଣ୍ଟାଲ ମାଣ୍ଡିଆ। ମାଣ୍ଡିଆ କିଣାଯାଉ ନଥିବାରୁ ଚାଷୀ ଆସି ଟିଡିସିସି କାର୍ଯ୍ୟରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।
୨୦୨୦-୨୧ବର୍ଷର ଖରିଫ ଋତୁରେ କୋରାପୁଟ ଜିଲ୍ଲାର ୧୦ଟି ବ୍ଲକରେ ମାଣ୍ଡିଆ ବିକ୍ରି କରିବାକୁ ୧୮,୦୪୭ ଚାଷୀ ରାଜ୍ୟସରକାରଙ୍କ ନିକଟରେ ନିଜ ନାମ ପଞ୍ଜୀକରଣ କରାଇଥିଲେ। ଜିଲ୍ଲାରେ ପ୍ରାୟ ୫୮ ହଜାର ହେକ୍ଟର ଜମିରେ ଚାଷ ହୋଇଥିଲା। ଏଥିପାଇଁ ଓଡ଼ିଶା ମାଣ୍ଡିଆ ମିଶନ ଅଧୀନରେ ରହିଥିବା ଉଚ୍ଚସ୍ତରୀୟ କିମିଟି ରାଜ୍ୟକୁ ୨ ଲକ୍ଷ କୁଇଣ୍ଟାଲ ଟାର୍ଗେଟ ଦେଇଥିଲେ। କୋରାପୁଟ ଜିଲ୍ଲା ଭାଗରେ ପଡିଥିଲା ୭୧ ହଜାର ୩୦୦। ଏହି ହିସାବରେ କୋରାପୁଟ ଜିଲ୍ଲାରେ ରହିଥିବା ଚାଷୀଙ୍କଠାରୁ ବିଭିନ୍ନ ଲାମ୍ପସ ଓ ଫାର୍ମର ପ୍ରଡ୍ୟୁସର କମ୍ପାନୀ ମାଧ୍ୟମରେ ଟିଡିସିସି ୬୭,୨୭୩ କୁଇଣ୍ଟାଲ ମାଣ୍ଡିଆ କିଣିବା ଆରମ୍ଭ କରିଥିଲା। କିନ୍ତୁ ହଠାତ ଏମ-ପାସ ପକ୍ରିୟା ଲକ୍ ହୋଇ ପଡିଥିଲା। ଚାଷୀଙ୍କ ଏଣ୍ଟି୍ର ହୋଇ ନପାରି ନ ଥିବାବେଳେ ଅଫଲାଇନରେ ୪୪୭ ଚାଷୀଙ୍କ ୩୯୭୨ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଥିଲା। ହଠାତ୍ ନିର୍ଦ୍ଦାରିତ ସମୟ ପୂର୍ବରୁ ମାଣ୍ଡିଆ ମଣ୍ଡି ବନ୍ଦ କରିଦିଆଗଲା।
ଅନଲାଇନ କିଣାବିକା ହେଉଥିବା ଏମ-ପାସକୁ ବନ୍ଦ କରିଦିଆଯିବାରୁ ଜିଲ୍ଲାର ୪୪୭ ଜଣ ଚାଷୀ ଅନଲାଇନରେ ମାଣ୍ଡିଆ ବିକ୍ରି କରିପାରିଲେଣି। କିନ୍ତୁ ସେମାନଙ୍କର ପ୍ରାୟ ୩୯୭୨.୩୧ କୁଇଣ୍ଟାଲ ମାଣ୍ଡିଆକୁ ସରକାର ନେଇ ଗୋଦାମରେ ରଖିସାରିଥିଲାବେଳେ ଅନଲାଇନ ମାଧ୍ୟରେ ଏଣ୍ଟି୍ର ନେଇ ନ ଥିଲା। ଫଳରେ ଏବେ ମାଣ୍ଡିଆ ବିକ୍ରିକୁ ନେଇ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଛି। ତେବେ ୪୦୬୬ କୁଇଣ୍ଟାଲ ଯେଉଁ ଟାର୍ଗେଟ ଅଧାରୁ କାଟି ଦିଆଗଲା ତାହାକୁ ନେଇ ସମସ୍ୟା ଉପୁଜିବାରେ ଲାଗିଛି। ରାଜ୍ୟସରକାର କୋରାପୁଟ ଜିଲ୍ଲାରୁ ମାଣ୍ଡିଆ ଟାର୍ଗେଟକୁ କାଟି ନୂଆପଡା, ସୁନ୍ଦରଗଡ ଓ କନ୍ଧମାଳ ଆଦି ଜିଲ୍ଲାକୁ ଦେଇଥିବା ଜଣାପଡିଛି। ତେବେ କୋରାପୁଟ ଜିଲ୍ଲାକୁ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଚାଷୀ ଚାଷ କରିଥିଲେ। ଅମଳ ହେବା ପରେ କିପରି ଓ କେଉଁ ପରିସ୍ଥିତିରେ କୋରାପୁଟ ଜିଲ୍ଲାର ଚାଷୀଙ୍କଠାରୁ ମାଣ୍ଡିଆ କିଣାଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।
ଏନେଇ ବହୁବାର ଚାଷୀ ଜିଲ୍ଲାପାଳଙ୍କୁ ଭେଟିଥିବାବେଳେ ଆଜି ଟିଡିସିସି କାର୍ଯ୍ୟାଳୟରେ ବସିଥିବା ଦେଖିବାକୁ ମିଳିଛି। ତେବେ ଏବେ ଜିଲ୍ଲାର ଗୋଦାମରେ ବୈପାରିଗୁଡା ବ୍ଲକର ୧୧୦ ଜଣ ଚାଷୀଙ୍କର ୧୦୭୨.୩୭ କୁଇଣ୍ଟାଲ, ବୋରିଗୁମ୍ମା ବ୍ଲକର ୧୩୬ ଜଣ ଚାଷୀଙ୍କର ୧୦୨୫.୯୫ କୁଇଣ୍ଟାଲ, ଲମତାପୁଟ ବ୍ଲକର ୧୦୮ ଜଣ ଚାଷୀଙ୍କର ୧୦୬୭.୮୬ କୁଇଣ୍ଟାଲ, ଲକ୍ଷ୍ମୀପୁର ବ୍ଲକ ୭୩ ଜଣ ଚାଷୀଙ୍କର ୫୭୦.୩୦ କୁଇଣ୍ଟାଲ ଓ ନନ୍ଦପୁର ବ୍ଲକର ୨୦ଜଣ ଚାଷୀଙ୍କଠାରୁ ୨୨୫.୮୧ କୁଇଣ୍ଟାଲ ମାଣ୍ଡିଆ କିଣାଯାଇ ଗୋଦାମ ରହିଛି। ହେଲେ ସେମାନେ ସେମାନଙ୍କ ପ୍ରାପ୍ୟ ପାଉ ନ ଥିବା ଜଣାପଡିଛି। ଏହି ଚାଷୀଙ୍କଠାରୁ ମାଣ୍ଡିଆ କିଣାଯାଇ ଗୋଦାମକୁ ଅଣାଯାଇଥିବାବେଳେ ଏମ-ପାସ ଏଣ୍ଟି୍ର ନ ହୋଇପାରୁ ଯାଇପାରି ନଥିବା ଜଣାପଡିଛି। ଏହାବାଦ ବି ଗୁନେଇପଡା (୧୫୩ ଚାଷୀଙ୍କର ୧୩୫୦ କୁଇଣ୍ଟାଲ) ଓ ପାଡୁଆ(୬୭ ଚାଷୀଙ୍କର ୫୯୩ କୁଇଣ୍ଟାଲ) ଫାର୍ମର ପ୍ରଡ୍ୟୁସର କମ୍ପାନୀ ଅଧୀନରେ ରହିଥିବା ମାଣ୍ଡିଆ ପଡି ରହିଥିବାବେଳେ ପଟାଙ୍ଗୀ ଲାମ୍ପସରେ ୩ ଜଣ ଚାଷୀଙ୍କ ନିକଟର ୧୮.୫୦ କୁଇଣ୍ଟାଲ ଓ ନାରାୟଣପାଟଣା ବ୍ଲକ ୬୮ ଜଣ ଚାଷୀଙ୍କ ନିକଟରେ ୬୦୬.୭୩ କୁଇଣ୍ଟାଲ ମାଣ୍ଡିଆ ପଡି ରହିଥିବାବେଳେ ଟାର୍ଗେଟ ଅଭାବରୁ ଏବେଯାଏଁ କିଣାଯାଇ ପାରିନାହିଁ। ମାଣ୍ଡିଆ ମିଶନରେ ଚାଷୀ ମାଣ୍ଡିଆ ଚାଷ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ଏନେଇ ଲମତାପୁଟର ଚାଷୀ ଗୌରଚନ୍ଦ୍ର ନାୟକ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ଟାର୍ଗେଟ ହିସାବରେ ଅମଳ ହେଲା। ଏବେ ଆମଠାରୁ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଓ ଲାମ୍ପସ ମାଧ୍ୟମରେ ମାଣ୍ଡିଆ କିଣିଲେ। ହେଲେ ନିର୍ଦ୍ଧାରିତ ଟାର୍ଗେଟକୁ ହ୍ରାସ କରି ଅନ୍ୟ ଜିଲ୍ଲାକୁ ଦେଇଦେବାରୁ ଟାର୍ଗେଟ ଶେଷ ହୋଇଗଲା। ଏବେ ଆମେ ହଜାର ହଜାର କୁଇଣ୍ଟାଲ ମାଣ୍ଡିଆକୁ ନା ଘରେ ରଖି ପାରୁଛୁ ନା ମଣ୍ଡିରେ ରଖିପାରୁଛୁ। ମଝିରେ ରହି ଦହଗଞ୍ଜ ହେଉଛୁ ବୋଲି ସେ ଅଭିଯୋଗ କରିଛନ୍ତି।
ଏନେଇ ଚାଷୀ ହରିହର ଅଡାରୀ କହିଛନ୍ତି ଯେ ଏମ-ପାସ ବନ୍ଦ ହୋଇଯିବାରୁ ଆମଠାରୁ ମାଣ୍ଡିଆ କିଣାଯାଇ ଗୋଦାମରେ ରଖାଗଲା କିନ୍ତୁ ଆମକୁ ଆମ ପଇସା ମିଳୁନାହିଁ। ଫଳରେ ଆମେ ବହୁତ ଆର୍ଥିକ ସମସ୍ୟା ଭୋଗୁଲୁଣି। ଆମକୁ ଯନି ଆସନ୍ତା କିଛି ଦିନ ମଧ୍ୟରେ ଆମ ପ୍ରାପ୍ୟ ନ ଦିଆଯିବ ତେବେ ମାଣ୍ଡିଆ ଧରି ରାଜରାସ୍ତାକୁ ଓହ୍ଲେଇବୁ ବୋଲି ଧମକ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mandia.jpg)