କୋଭିଡ୍ ତୃତୀୟ ଲହରରେ ଶିଶୁଙ୍କ ସୁରକ୍ଷା ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ

ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଟି ସ୍ୱତନ୍ତ୍ର ଶଯ୍ୟା ବିଶିଷ୍ଟ ୱାର୍ଡ

ଖୋର୍ଦ୍ଧା: ସେପଟେମ୍ବର ମାସରେ କୋଭିଡର ତୃତୀୟ ଲହର ଆସିବ ବୋଲି ଅନୁମାନ କରାଯାଉଛି । ଏଥିରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗତକାଲି ଅପରାହ୍ଣରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି ଏନେଇ ସୂଚନା ଦେଇଥିଲେ । ନବଜାତଙ୍କ ଠାରୁ ୧୮ ବର୍ଷର କିଶୋରଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ଓ ସେମାନଙ୍କ ଆବଶ୍ୟକ ଚିକିତ୍ସା ପାଇଁ ନିଆଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ବ୍ଲକସ୍ତରର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଶିଶୁ ଓ କିଶୋରଙ୍କ ଚିକିତ୍ସା ପାଇଁ ଜିଲ୍ଲା ଓ ବ୍ଲକସ୍ତରର ମେଡିକାଲ୍ ଅଧିକାରୀ ଓ ପାରା ମେଡିକାଲ୍ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଶିଶୁ ଓ କିଶୋରଙ୍କୁ ଥଣ୍ଡା, କାଶ, ଜ୍ୱର ଆଦି ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଛନ୍ତି । ଚାଲୁଥିବା ଟିକାକରଣ କାର୍ଯ୍ୟକ୍ରମ ଓ ଆଶାକର୍ମୀଙ୍କ ଦ୍ୱାରା ଘରଘର ବୁଲି ଥଣ୍ଡା, କାଶ ଆଦି କୋଭିଡ୍ ଲକ୍ଷଣର ସର୍ଭେ କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଓ କିଶୋରଙ୍କ କୋଭିଡ୍ ଚିକିତ୍ସା ପାଇଁ ୪ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଚିକିତ୍ସା ପାଇଁ ୩ଜଣ ଶିଶୁ ରୋଗ ବିଶେଷଜ୍ଞ ନିୟୋଜିତ ଅଛନ୍ତି । ଏହା ସହ ପ୍ରତି ଗାଁ, ପଂଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସ୍କୁଲରେ ଏନେଇ ସଚେତନତା ସୃଷ୍ଟି କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଶାନ୍ତ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମେଡିକାଲ୍ ଅଧିକାରୀ ଡା ସୁନୀଲ କୁମାର ଦାଶ, ଶିଶୁରୋଗ ବିଶେଷଜ୍ଞ ଡା ମିନତୀ ଶତପଥୀ, ନିଶ୍ଚେତକ ବିଶେଷଜ୍ଞ ଡା ଏସ୍ଏନ୍ ପାଇକରାୟ, ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଫୁଲ୍ଲ କୁମାର ପଣ୍ଡା, ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର