ଚାଷୀଙ୍କୁ ବିହନ ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ: ୪ଲକ୍ଷ ୫୦ ହଜାର କୁଇଣ୍ଟାଲ ବିହନ ଯୋଗାଇବାକୁ ଲକ୍ଷ୍ୟ

ବିକ୍ରି ହୋଇଛି ୪୦,୩୬୮ କୁଇଣ୍ଟାଲ, ଅନୁଗୁଳ, ବଉଦ ସମେତ ୪ ଜିଲ୍ଲା କେଜିଏ ବି ନେଇ ନାହାନ୍ତି

କୋରାପୁଟ: ଅକ୍ଷୟ ତୃତୀୟା ଗଲାଣି। ଖରିଫ ଧାନ ଚାଷ ପାଇଁ ଚଷାପୁଅ ଏବେ ତରତର। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଚାଷ ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି କରିଥିଲେ ମଧ୍ୟ ଚାଷୀ ଚୁପ ବସିନି। ଜମିକୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଲେଣି। ହେଲେ ଆଶ୍ଚର୍ଯ୍ୟର କଥା ଅନୁଗୁଳ, ବଉଦ, ଦେବଗଡ ଓ ସୋନପୁରରେ ଚାଷୀଙ୍କ ପାଖରେ କେଜିଏ ବି ବିହନ ପହଞ୍ଚିନି। ବିହନ ନିଗମ ପକ୍ଷରୁ ସାରା ରାଜ୍ୟରେ ୪ ଲକ୍ଷ ୫୦ ହଜାର କୁଇଣ୍ଟାଲ ବିହନ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ଆାଜି ସୁଦ୍ଧା ୪୦,୩୬୮ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ଜଣାପଡିଛି।

କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ କାମ ବାଧାପ୍ରାପ୍ତ ହୋଇଛି। ଲକ୍‌ଡାଉନ୍‌ କଟକଣାରୁ ଶେଷ ପର୍ଯ୍ୟାୟରେ ଚାଷକାର୍ଯ୍ୟକୁ ବାଦ୍ ଦିଆଯାଇଥିଲେ ମଧ୍ୟ ଏଥର ବିହନ ପ୍ରକ୍ରିୟାକରଣରେ ସମସ୍ୟାରେ ପଡିଛି ରାଜ୍ୟ ବିହନ ନିଗମ। ରାଜ୍ୟରେ ଥିବା ୩୭ଟି ବିହନ ପ୍ରକ୍ରିୟା କେନ୍ଦ୍ରରେ ପ୍ରସ୍ତୁତିରେ ବାଧା ପହଞ୍ଚିଛି। ପ୍ରକିୟା କେନ୍ଦ୍ରକୁ ବିହନ ଆଣିବା ଓ ଏଠାରେ ଏହାକୁ ପ୍ରକ୍ରିୟାକରଣ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ତଥାପି ଚଳିତ ଖରିଫ ଚାଷ ପାଇଁ ରାଜ୍ୟ ବିହନ ନିଗମ ୪ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ବିହନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅକ୍ଷୟ ତୃତୀୟାଠାରୁ ଏହି ବିହନ ଯୋଗାଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି।

ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପର୍ଯ୍ୟନ୍ତ ୪୦,୩୬୮ କୁଇଣ୍ଟାଲ ବିହନ ବିକ୍ରି ହୋଇଛି। ବ୍ରହ୍ମପୁର ଜୋନରେ ୬୩୬୫ କୁଇଣ୍ଟାଲ, ବାଲେଶ୍ବର ଜୋନରେ ୫୯୬୪ କୁଇଣ୍ଟାଲ, ଭବାନୀପାଟଣା ଜୋନରେ ୮୫୩୭ କୁଇଣ୍ଟାଲ, ଜୟପୁର ଜୋନରେ ୪୧୧୭ କୁଇଣ୍ଟାଲ,ବରଗଡ ଜୋନରେ ୫୯୨୨ କୁଇଣ୍ଟାଲ, କଟକ ଜୋନରେ ୩୫୫ କୁଇଣ୍ଟାଲ ବିହନ ବିକ୍ରି ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା, ବଉଦ ଜୋନରେ ଆଜି ସୁଦ୍ଧା କେଜିଏ ମଧ୍ୟ ବିହନ ବିକ୍ରି ହୋଇନି। ଏହି ଜୋନ ଅଧୀନରେ ଥିବା ବଉଦ, ଅନୁଗୁଳ, ସୋନପୁର ଓ ଦେବଗଡ ଜିଲ୍ଲା ରହିଛି। ଅପରପକ୍ଷରେ ଜୟପୁର ଜୋନ ଅଧୀନରେ ଥିବା ରାୟଗଡା ଜିଲ୍ଲାରେ ୧୭୭୦ କୁଇଣ୍ଟାଲ ବିହନ ବିକ୍ରି ହୋଇଥିଲାବେଳେ କୋରାପୁଟ ଜିଲ୍ଲାରେ ୧୪୦୬ କୁଇଣ୍ଟାଲ, ନବରଙ୍ଗପୁର ଜିଲ୍ଲାରେ ୧୭୧୬ କୁଇଣ୍ଟାଲ ଓ ମାଲକାନ୍ଗିରି ଜିଲ୍ଲାରେ ୬୯୦ କୁଇଣ୍ଟାଲ ବିହନ ବିକ୍ରି ହୋଇଥିବା ନିଗମ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ଲ୍ୟାମ୍ପସ, ପ୍ୟାକସ ଓ ଘରୋଇ ଡିଲର ମାଧ୍ୟମରେ ଏହି ବିହନ ବିକ୍ରି କରାଯାଉଛି।

ଏଥର ନିଗମ ପକ୍ଷରୁ ପାଖାପାଖି ୫୦ ପ୍ରକାର ଧାନ ବିହନ ଯୋଗାଇ ଦିଆଯାଉଛି। ୧୦ ବର୍ଷରୁ ଅଧିକ ବର୍ଷର ଧାନ କିସମର ଦର କୁଇଣ୍ଟାଲ ପିଛା ୩୧୯୫ ଟଙ୍କା ରହିଥିଲେ ମଧ୍ୟ ନିଗମ ପକ୍ଷରୁ ରିହାତି ଦିଆଯାଇ ୨୨୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୧୦ ବର୍ଷରୁ କମ୍ ବର୍ଷର ଧାନ କିସମର ବିହନ କୁଇଣ୍ଟାଲ ପିଛା ୧୯୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହି ବିହନ ବ୍ୟତୀତ ନିଗମ ବିଭିନ୍ନ ସଂସ୍ଥା ସହ ଚୁକ୍ତି କରି ଚାଷୀଙ୍କୁ ବିହନ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି।

ନିଗମ ୬୫ ପ୍ରତିଶତ ବିହନ ଯୋଗାଇବାକୁ ଲକ୍ଷ୍ୟ ରଖିଥିଲାବେଳେ ବାକି ଭାଗ ଏହି ସଂସ୍ଥା ଓ ଘରୋଇ ଲୋକ ବିହନ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି। ଏଥିନେଇ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ, ଚାଷୀଙ୍କୁ ବିହନ ଯୋଗାଇବା ପାଇଁ ଏଥର ଆଗୁଆ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ କରୋନା ପାଇଁ ଏହା ବାଧାପ୍ରାପ୍ତ ହୋଇଥିଲା। ତଥାପି ନିଗମ ପକ୍ଷରୁ ବିହନ ସଂଗ୍ରହ କରି ପ୍ରକ୍ରିୟା କରାଯାଉଛି। ଅକ୍ଷୟ ତୃତୀୟାରୁ ଏହି ବିହନ ଚାଷୀଙ୍କୁ ପ୍ରଦାନ କରାହେଲାଣି। ଏ ଭିତରେ ୪୦ ହଜାର କୁଇଣ୍ଟାଲରୁ ଅଧିକ ବିହନ ବିକ୍ରି ହୋଇଛି। ଧାନ ସହିତ ବାଦାମ, ଧନିଚା, ରାଶି ଓ ଅନ୍ୟାନ୍ୟ ବିହନ ଯୋଗାଇବା ଉପରେ ମଧ୍ୟ ନିଗମ ଗୁରୁତ୍ବ ଦେଉଛି। ଉପଯୁକ୍ତ ସମୟରେ ଚାଷୀଙ୍କୁ ଭଲ ବିହନ ଯୋଗାଇବା ଉପରେ ନିଗମ ପ୍ରାଥମିକତା ଦେଉଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର