ଚୋରିକରି ଜେଲ ଗଲେ ଗୋଟିଏ ପରିବାରର ୪ ସଦସ୍ୟ

ମୁଖ୍ୟ ଅଭିଯୁକ୍ତ ପୁଅ ସମେତ ବାପା-ମା-ଭଉଣୀ ଜେଲ୍‌ ଗଲେ

ରାଉରକେଲା: ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା, ଘରୋଇ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ସେକ୍ଟର-୩ ପୁଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଫର୍ଟିଲାଇଜର ଲୋକନାଥ ମାର୍କେଟ୍‌ର ଅମରେନ୍ଦ୍ର ପାଟଶାଣୀ(୨୬), ତାଙ୍କ ବାପା ଦୀନବନ୍ଧୁ ପାଟଶାଣୀ(୬୦), ମା’ ନଳିନୀ ପାଟଶାଣୀ(୫୫) ଓ ବଡ଼ ଭଉଣୀ ବିଷ୍ଣୁପ୍ରିୟା ପାତ୍ର(୩୨)। ଅଭିଯୁକ୍ତମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହାସହ ପୁଲିସ ୩୦ ଗ୍ରାମ୍‌ର ଦୁଇଟି ସୁନା ଅଳଙ୍କାର, ଗୋଟିଏ ହଳ କାନଫୁଲ, ଗୋଟିଏ ଏଲ୍‌ଜି ଟିଭି, ଗୋଟିଏ କ୍ୟାମେରା, ୪ଟି ମୋବାଇଲ, ଦାମୀ ପୋଷାକ, ବାସନକୁସନ ଆଦି ଜବତ କରିଛି। ସେକ୍ଟର-୨, ଏଚ୍‌-୨୫୬ରେ ମିଳନ ଦାସ ତାଙ୍କ ପତ୍ନୀ ଓ ପୁଅ ସହ ବାସ କରନ୍ତି।

ଶାଶୂଙ୍କ ଶ୍ରାଦ୍ଧ ବାର୍ଷିକିରେ ଯୋଗଦେବାକୁ ପୂରା ଦାସ ପରିବାର ଗତ ୧୭ ତାରିଖରେ ପୁରୀ ଅଭିମୁଖେ ବାହାରିଥିଲେ। ସେମାନେ ୨୩ ତାରିଖ ସକାଳେ ଘରେ ପହଞ୍ଚିଲାପରେ ଘର ପଛ ପଟ ଗେଟ୍‌ର ତାଲା ତଡ଼ା ଯାଇଥିବା ଦେଖିଥିଲେ। ପରେ ଖୋଜାଖୋଜି କରିବାରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ, ଯଥା-୬୦ ଗ୍ରାମ୍‌ର ୩ଟି ସୁନା ଅଳଙ୍କାର, ଗୋଟିଏ ଏଲ୍‌ସିଡି ଟିଭି, ୩ଟି ସୁନା ମୁଦି, ୫ ହଳ କାନଫୁଲ, ଦାମୀ ଶାଢ଼ୀ, ୩ଟି ମୋବାଇଲ ଫୋନ, ବାସନକୁସନ ଓ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଶ୍ରୀ ଦାସ ସେକ୍ଟର-୩ ଥାନାରେ ଏତଲା ଦେଇଥିଲେ।

 

ପୁଲିସ ତଦନ୍ତ ଆରମ୍ଭ କରି ଘଟଣାର ପର୍ଦ୍ଦାଫାସ କରିଛି। ପୁଲିସ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଅମରେନ୍ଦ୍ର ହିଁ ଉକ୍ତ ଘରୁ ଚୋରି କରିଥିଲା। ଚୋରି କରିବାପରେ ସେକ୍ଟର-୨ ଅଟୋ ଷ୍ଟାଣ୍ଡ୍‌ରୁ ଏକ ଅଟୋ ଭଡ଼ା କରି ଫର୍ଟିଲାଇଜର ଲୋକନାଥ ମାର୍କେଟ୍‌ ସ୍ଥିତ ଘରକୁ ନେଇଥିଲା। ସେଠାରେ ତା’ର ବାପା-ମା’ ସବୁ ଚୋରି ସାମଗ୍ରୀକୁ ଅଟୋରୁ ଓହ୍ଲାଇ ଘରେ ସାଇତି ରଖିଥିଲେ। ଏହାସହ ଶାଢ଼ୀ, ବାସନକୁସକୁ ନିଜ ମା’କୁ ଦେଇଦେଇଥିବାବେଳେ ଗୋଟିଏ ମୋବାଇଲକୁ କରଞ୍ଜିଆରେ ରହୁଥିବା ନିଜ ବଡ଼ ଭଉଣୀ ବିଷ୍ଣୁପ୍ରୀୟାକୁ ଦେଇଥିଲା। ଏହାସହ ସମସ୍ତ ଚୋରି ସୁନା ଗହଣାକୁ ଫର୍ଟିଲାଇଜର ଗଞ୍ଜୁ ମାର୍କେଟ୍‌ ସ୍ଥିତ ମଣୀପୁରମ୍‌ ଫାଇନାନ୍ସ ଲିମିଟେଡ୍‌ରେ ବନ୍ଧକ ରଖିଥିଲା। ମୁଖ୍ୟ ଅଭିଯୁକ୍ତ ଅମରେନ୍ଦ୍ର ନାଁରେ ଟାଙ୍ଗରପାଲୀ ଥାନାରେ ୩ଟି ମାମଲା ରହିଛି। ଅମରେନ୍ଦ୍ର ଦୀର୍ଘ ବର୍ଷ ହେଲା ଚୋରି, ଛିନ୍‌ତାଇରେ ଲିପ୍ତ ଥିବା ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା, ଥାନାଧିକାରୀ ଦେବଯାନୀ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର