ପଡିଆ: ମାଲକାନାଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ବ୍ଳକର ନନ୍ଦାଗୁଡା ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଘଟାଇଥିବା ବହୁଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡରେ ସାମିଲ ୪ ଜଣଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ସାମିଲ ୪ ଜଣ ଦେବା ବେଟି, ପଦିଆ ବାଡସେ, ଗଙ୍ଗା ବେଟୀ ଓ ପଦିଆ ଏମଲା ସେହି ଗ୍ରାମର ହୋଇଥିବା ବେଳେ ଦୀର୍ଘଦିନ ଧରି ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ଆଗରେ କହିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ପ୍ରକାଶ ଥାଉକି ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଗ୍ରାମର ଉକ୍ତ ଚାରିଜଣ ପୂର୍ବ ଯୋଜନା ମୁତାବକ କାରାମ କାନା ର ଘରକୁ ଯାଇ ନିଦରୁ ଉଠାଇ ଘର ଅଗଣାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭତ୍ସ ଭାବେ ଗଳା କାଟିଥିଲେ।
ଏହାପରେ ପ୍ରମାଣ ନଷ୍ଟ କରିବାକୁ ମୃତ ଶରୀରକୁ ଗାଆଁଠାରୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳକୁ ନେଇ ମୁଣ୍ଡକୁ ନିଆଁ ଲଗାଇ ପୋଡ଼ିଦେବାବେଳେ ବଳକା ଶରୀରକୁ ନଦୀପଠା ବାଲିରେ ପୋତି ଦେଇଥିଲେ। ଗତକାଲି ମୃତକର ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ହତ୍ୟାକାରୀ ଙ୍କୁ ଖୋଜିବା ସହ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିସହ ଗତକାଲି ରାତିରେ ଏହି ଗ୍ରାମ ଓ ଆଖପାଖ ଅଞ୍ଚଳକୁ ଚଢାଉ କରି ପୁଲିସ ପକ୍ଷରୁ ୪ ହତ୍ୟାକାରୀଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଗତ କିଛିଦିନ ତଳେ ପଡିଆ ବ୍ଳକର ଉଦୟଗିରି ଗ୍ରାମରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ସେହି ଗ୍ରାମର କିଛି ଲୋକ ଗଳା କାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ ପାଇଁ ଗାଆଁ ମଶାଣି ରେ ଜାଳିଦେଇଥିଲେ। ଏକବିଂଶ ଶତାବ୍ଦୀରେ ଉପନୀତ ହୋଇ ସୁଦ୍ଧା ଅନ୍ଧବିଶ୍ବାସ କୁ ବିଶ୍ୱାସ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଗତକାଲି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।