ପୁଲିସ ଜାଲରେ ଲୁଟେରା ଗ୍ୟାଙ୍ଗ; ୪ ଗିରଫ, ବାଇକ ସହ ୨୦ ହଜାର ଟଙ୍କା ଜବତ

ରାୟଗଡ଼ା: ଶେଷଖାଲ ପୁଲିସ ଆଜି ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି। ବଡ଼ ଧରଣର ଲୁଟ କରି ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଫେରାର ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୋଡ଼ାଇ ଧରିଛି। ଗ୍ୟାଙ୍ଗର ମୁଖ୍ୟ ଫେରାର ହୋଇ ଯିବାରେ ସକ୍ଷମ ହୋଇଛି। ଅନ୍ୟ ୪ ଜଣକୁ ପୁଲିସ ଗିରଫ କରିବା ସହିତ ଦୁଇଟି ବାଇକ, ୫ଟି ମୋବାଇଲ ସମେତ ୨୦ ହଜାର ଟଙ୍କା ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ପୁଲିସ ସୂଚନା ମୁତାବକ, ଅପରାହ୍ନ ୪ ଟାରେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନାର ଯୋଗୁଗୁଡା ଓ ବାଲୁପାଡୁ ଗ୍ରାମ ମଧ୍ୟରେ ଏହି ଗ୍ୟାଙ୍ଗ ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ସହିତ ବାଇକ ଚାବି ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟ ପରେ ଗ୍ୟାଙ୍ଗର ସଦ୍ୟସ ଆନ୍ଧ୍ର ଅଭିମୁଖେ ଫେରାର ହୋଇଯାଇଥିଲେ। ଶେଷଖାଲ ପୁଲିସ ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା, ଏସଆଇ ମାନସ ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ ଲୁଟେରା ଗ୍ୟାଙ୍ଗର ପିଛା କରିଥିଲା। ଅଧ ଘଣ୍ଟାର ଛକାପଞ୍ଝା ପରେ ପୁଲିସ ୪ ଲୁଟେରାଙ୍କୁ କାବୁ କରିଥିଲା। ମୁଖ୍ୟ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ସହ ପୁଲିସ ଆଖିରେ ଧୂଳି ଦେଇ ଖସି ଯିବାରେ ସକ୍ଷମ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର