ବିଧାତାର ତାଡ଼ନାରେ ୪ ଅନାଥ ନାବାଳକ ଭାଇଭଉଣୀ, ବାପା-ମା’ ଆରପାରିରେ, ସାହାରା ବୋଲି କେହି ନାହିଁ

ଭବାନୀପାଟଣା: ବାପା ମା ଆର ପାରିକୁ ଚାଲିଗଲେ । ଦୁନିଆ ଦେଖିବା ଆଗରୁ ୪ ଭାଇ ଭଉଣୀ ଅନାଥ ହୋଇଗଲେ । ଆହା କରିବାକୁ ପାଖରେ ତାଙ୍କର କେହି ନାହିଁ । ପରିବାର କହିଲେ ୪ ଅନାଥ ନାବାଳକ ଭାଇ ଭଉଣୀ । ବାପା ମା ନଥିବା ବେଳେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଯେଉଁ ହାତରେ ବହି ବସ୍ତାନୀ ଧରି ସ୍କୁଲକୁ ଯିବା ଓ ସାଙ୍ଗସାଥି ମାନଙ୍କ ସହିତ ମିଶି ଖେଳ ଖେଳିବା ବୟସରେ ଜଣେ ଭାଇ ହୋଟେଲରେ ପ୍ଲେଟ ସଫା କରୁଥିବା ବେଳେ ଦୁଇ ଭଉଣୀ ଲୋକଙ୍କ ଘରେ ମୂଲ ଲାଗୁଛନ୍ତି । ସେହିଭଳି ସବା ସାନ ଭାଇ ଲୋକଙ୍କ ଗାଈ ଚରାଇ ଯାହା ଦେଲେ ଖାଇ ପେଟ ପୁରାଉଛନ୍ତି ।

ବାପା ମା ତିଆରି କରିଦେଇଥିବା ଘର ଭଗ୍ନ ଅବସ୍ଥାରେ ଥିବାବେଳେ ପଲିଥିନ ଢାଙ୍କି ରହୁଛନ୍ତି । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ରେ ଏଭଳି ଦୁଃଖ ବିଦାରକ ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ପଞ୍ଚାୟତ ଫୋଇରି ପାଣି ଗ୍ରାମର କୌଶିକ ମାଝୀ ଓ ପତ୍ନୀ ଉର୍ମିଳା ମାଝୀଙ୍କର ଗତ ପାଞ୍ଚବର୍ଷ ତଳେ ମୃତ୍ୟୁ ହୋଇଥିଲା । ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ୪ ନାବାଳକ ଭାଇ ଭଉଣୀ ଅନାଥ ହୋଇଗଲେ । ବର୍ତ୍ତମାନ ୪ ଅନାଥ ବାପା ମା ଛେଉଣ୍ଡ ଙ୍କ ସାହାରା ବୋଲି କେହି ନଥିବାବେଳେ ସମସ୍ତଙ୍କ ଠାରୁ ବଡ଼ ଭାଇ ଓଙ୍କାର ମାଝୀ (୧୬) ଧର୍ମଗଡ଼ ସହରରେ ଏକ ହୋଟେଲରେ ପ୍ଲେଟ ସଫା କରିଥାଆନ୍ତି । ସେଠାରେ ଯାହା ମିଳେ ତାହା ଖାଇଥାନ୍ତି । ସେହିଭଳି କାନ୍ତି ମାଝୀ (୧୩) ଝିଅ ଇନ୍ଦୁମତୀ ମାଝୀ (୧୧) ଦୁଇ ଭଉଣୀ ପର ଘରେ ମୂଲ ଲାଗନ୍ତି । ସେଠାରୁ ଯିଏ ଯାହା ଦେଲା ତାହା ଖାଇ ଜୀବନ ବଞ୍ଚାଇଥାଆନ୍ତି ।

ସେହିଭଳି ସବାସାନ ଭାଇ ରାକେଶ ମାଝୀ (୮) ଲୋକଙ୍କ ଗାଈ ଚରାଉ ଥିବାବେଳେ ସେ ମଧ୍ୟ ଲୋକେ ଯାହା ଦେଲେ ତାହା ଖାଇ ପେଟ ପୁରାଇଥାନ୍ତି । ବାପା ମା ଥିବା ବେଳେ ଯେଉଁ ଘର ତିଆରି କରିଦେଇଥିଲେ, ସେହି ଘରର ମାଟିର କାନ୍ଥ ଗୁଡିକ ଭୁଶୁଡିବାରେ ଲାଗିଛି । କାନ୍ଥକୁ କାଠ ଟେକା ଦେଇ ପଲିଥିନ ଢାଙ୍କି ଦିଆଯାଇଛି । ଏହି କୋମଳମତି ଶିଶୁ ମାନେ କେଉଁଠୁ ଟଙ୍କା ଆଣିବେ ଓ ଘର ତିଆରି କରିବେ , ତେଣୁ ପଲିଥିନ ଢାଙ୍କି ରହୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମାଳମାଳ ଯୋଜନା କରୁଥିବା ବେଳେ ଏହି ୪ ଅନାଥ ନାବାଳକ ଭାଇ ଭଉଣୀଙ୍କ ପାଇଁ ଯୋଜନା ଅପହଞ୍ଚ ହୋଇ ପଡିଛି । ତେଣୁ ସରକାର ତୁରନ୍ତ ବାପା ମା ଛେଉଣ୍ଡ ୪ ଅନାଥ ନାବାଳକ ଭାଇ ଭଉଣୀଙ୍କୁ ରହିବା, ପାଠପଢିବା ତଥା ସମସ୍ତ ସରକାରୀ ସାହାଯ୍ୟର ହାତ ବଢ଼ାଇବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର