ଲୋଭର କୁପରିଣତି : ମାତ୍ର ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ହତ୍ୟା କରିବା ପାଇଁ ପଛାଇଲା ନାହିଁ ବୃଦ୍ଧ ବାପା

ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା ପର୍ଦ୍ଦାଫାସ

ଜଗତସିଂହପୁର/କୁଜଙ୍ଗ: ଅର୍ଥ ଲୋଭ ବେଳେ ବେଳେ ମଣିଷକୁ ଅନ୍ଧ କରିଦିଏ ।  ମାତ୍ର ୨ଲକ୍ଷ ଟଙ୍କା ପାଇବା ଲୋଭରେ ନିଜ ଝିଅ ଓ ୩ନାତି ନାତୁଣୀଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି କୁଜଙ୍ଗ ଅଞ୍ଚଳର ଅକ୍ଷୟ ସେଠୀ।  ମଇ ୧୦ ତାରିଖ ଦିନ ମହାନଦୀ କୂଳରୁ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ମା’ ଓ ତାଙ୍କର ତିନି ପିଲାଙ୍କ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ପରେ ଏହି ପୁଲିସ ଅକ୍ଷୟ ସେଠୀଙ୍କୁ ଗିରଫ କରିଛି।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ମଇ ୧୦ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା। ସ୍ଥାନୀୟ ଅଞ୍ଚଳର ଶନି ମନ୍ଦିର ପାର୍ଶ୍ୱ ମହାନଦୀ କୂଳରୁ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ମା’ ଓ ତାଙ୍କର ତିନି ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ଥିଲେ ଜଗନ୍ନାଥପୁର ଗ୍ରାମର ମାମାନୀ ସେଠୀ(୩୨), ତାଙ୍କର ଦୁଇ ଝିଅ ବର୍ଷା (୨୦), ଦିଶା(୮) ଓ ପୁଅ ମୁନା(୫)। ଏହି ଘଟଣା ଉପରୁ ରହସ୍ୟ ଉଠାଇବା ପାଇଁ ପୁଲିସ ମୃତ ମାମାନୀଙ୍କ ବାପା ଓ ଭାଇ କାଳିଆ ସେଠୀଙ୍କୁ ଜେରା ଜାରି ରଖିଥିଲା।

ତେବେ କୁଜଙ୍ଗ ପୁଲିସ ସୂତ୍ରରୁ ପ୍ରକାଶ, ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣାରେ ମହିଳା ମାମାନୀଙ୍କ ପିତା ଅକ୍ଷୟ ସେଠୀକୁ ମଙ୍ଗଳବାର ଗିରଫ କରାଯାଇଛି। ତେବେ ହତ୍ୟାକାରୀ ବାପା ମାତ୍ର ୨ଲକ୍ଷ ଟଙ୍କା ପାଇବା ଲୋଭରେ ନିଜ ଝିଅ ଓ ୩ନାତି ନାତୁଣୀଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମଇ ୧୦ ତାରିଖ ପ୍ରାୟ ସାଢେ ୩ଟା ବେଳେ ନଈରେ ୪ଟି ମୃତଦେହ ଭାସୁଥିବାର ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଦେଖିଥିଲେ। ଏ ସଂପର୍କରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଥିଲେ। ମା’ ଓ ତିନି ପିଲାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର