ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟେକ ଦିନ ଭିନ୍ନ ଘଟଣାରେ କାହାରି ନା କାହାରି ଜୀବନ ଯାଉଛି। ହତ୍ୟା, ଆତ୍ମହତ୍ୟା, ଅକାଳମୃତ୍ୟୁ ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ତେବେ ଚାଲନ୍ତୁ ଜାଣିବା ଗତକାଲି ରାଜ୍ୟରେ କେଉଁମାନଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ଓ କେଉଁଠାରେ ଦୁର୍ଘଟଣା ଘଟିଛି

Advertisment

ଗଳା କାଟି ଯୁବକଙ୍କୁ ନିର୍ମମ ହତ୍ୟା

ବାଦାମପାହାଡ/ପଢ଼ିଆ: ଜଣେ ଯୁବକଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ ବୁଦାମୂଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ବଳଦପୁର (ଖେରଣା) ଗ୍ରାମର ଧନ କିସ୍କୁଙ୍କ ପୁଅ ଉଦୟନାଥ କିସ୍କୁ (୪୧)। ବାଦାମପାହାଡ ଥାନା ଅର୍ନ୍ତଗତ ଝଲଡୁଙ୍ଗୁରୀ ଛକ ନିକଟସ୍ଥ ମାଛକାନ୍ଦଣା ଘାଟି ନିକଟରେ ଘଟିଛି ଏହି ହତ୍ୟାକାଣ୍ତ। ସୂଚନା ଅନୁଯାୟୀ, ଆଜି ସକାଳେ ଝଲଡୁଙ୍ଗୁରୀ ଛକ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକଡ଼ ବୁଦାମୂଳରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବାଦାମପାହାଡ ଥାନାକୁ ଖବର ଦେଇଥିଲେ। ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ, ବାଦାମପାହାଡ ନୂତନ ଥାନାଧିକାରୀ କାମାକ୍ଷା କମଳେଶ୍ବର ହେମ୍ବ୍ରମ, ଏଏସ୍‌ଆଇ ଦିଲ୍ଲୀପ ପାତ୍ର, ଏଏସ୍‌ଆଇ ବିଚିତ୍ରାନନ୍ଦ ନାଏକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି। ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି। ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେସ୍‌ ନଂ ୧୧୭/୨୩ରେ ମାମଲା ରୁଜୁ ହୋଇଛି।

ଆମ୍ବଗଛରୁ ପଡ଼ି ମହିଳା ମୃତ
ପଣ୍ଡାପଡ଼ା: ପଣ୍ଡାପଡ଼ା ଥାନା ନଳପଙ୍ଗା ଗ୍ରାମର ବୁଧୁ ମୁଣ୍ଡାଙ୍କ ପତ୍ନୀ ସାବିତ୍ରୀ ମୁଣ୍ଡା (୩୭) ଆମ୍ବଗଛରୁ ପଡ଼ି ପ୍ରାଣ ହରାଇଥିବା ଥାନାରେ ଅଭିଯୋଗ ହୋଇଛି। ସ୍ବାମୀସ୍ତ୍ରୀ ବୁଧବାର ଗାଈ ଚରାଇବାକୁ ଯାଇଥିଲେ। ଅପରାହ୍‌ଣ ୩ଟାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଗାଁର ବ୍ୟକ୍ତି ଘରକୁ ଆଣିଥିଲେ। ସନ୍ଧ୍ୟା ୬ଟାବେଳେ ଏକ ଅଟୋରେ ତାଙ୍କୁ ପ୍ରଥମେ ଜଂଘିରା ଡାକ୍ତରଖାନା ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାଇ ସଂଗ୍ରହ କରିବା ପାଇଁ ଆମ୍ବଗଛରେ ଚଢ଼ିଥିବା ବେଳେ ଖସିପଡ଼ିବାରୁ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆଜି ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପଣ୍ଡାପଡ଼ା ଥାନାରେ କେସ୍‌ ନମ୍ବର ୩୦/୨୦୨୩ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ମୃତ ସାବିତ୍ରୀଙ୍କ ଭାଇ ବାବୁଲି ମୁଣ୍ଡା ଖଣ୍ଡନ କରିଛନ୍ତି। ତାଙ୍କ ଭଉଣୀକୁ ମାଢ଼ ମାରି ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି। ପୁଲିସ ଘଟଣାର ନିରପେକ୍ଷ ତଦନ୍ତ କଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ବାବୁଲି କହିଛନ୍ତି।

ସାପ କାମୁଡ଼ାରେ ନାବାଳକ ମୃତ

ତେଲକୋଇ/ପଦ୍ମପୁର: ସାପ କାମୁଡ଼ାରେ ତେଲକୋଇ ଥାନା ଆକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମର ମଙ୍ଗୁଳୁ ମୁଣ୍ତାଙ୍କ ପୁଅ ଲକ୍ଷ୍ମୀଧର ମୁଣ୍ତା (୧୫)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଲକ୍ଷ୍ମୀଧର ଘରେ ଶୋଇଥିବା ବେଳେ ତାଙ୍କୁ ଏକ ଚିତିସାପ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାଢ଼େ ୮ଟାବେଳେ ଲକ୍ଷ୍ମୀଧରଙ୍କ ମୃତ୍ୟୁ ଘଟିଛି। ଖବର ପାଇ ତେଲକୋଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତନ୍ତର କରିଥିଲେ। ଲକ୍ଷ୍ମୀଧର ଗାଈଛେଳି ଚରାଉଥିଲେ। ପୂର୍ବରୁ ତାଙ୍କ ବାପା ଓ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଧରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଶିଡ଼ିରୁ ପଡ଼ି ଆହତ ଛାତ୍ରୀଙ୍କ ମୃତ୍ୟୁ
ନଠୁଆବର: ରସୁଲପୁର ବ୍ଲକ୍‌ ଅନ୍ତର୍ଗତ କଲଣ ଗ୍ରାମର ଶିବପ୍ରସାଦ ସାହୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି(୧୩)ଙ୍କର ମୃତ୍ୟୁ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ରସୁଲପୁର ବ୍ଲକ୍‌ ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ଗତ ସେପ୍ଟେମ୍ବର ମାସରେ ସେ ଶିଡ଼ିରୁ ଖସିପଡ଼ି ଆହତ ହୋଇଥିଲେ। ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଗତ ଗୁରୁବାର ଶ୍ରଦ୍ଧାଞ୍ଜଳିଙ୍କର ମୃତ୍ୟୁ ହୋଇଛି। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସହପାଠୀ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

୨ ଘର ଉପରେ ଚଢ଼ିଗଲା ଡମ୍ପର୍‌, ଅଳ୍ପକେ ବର୍ତ୍ତିଲେ ୧୦

ଖଇରା: ମଝିରାତିରେ ଘଟିଛି ଅଘଟଣ। ଗୋଟିଏ ଡମ୍ପର ରାସ୍ତାକଡ଼ରେ ଥିବା ଦୁଇଟି ଘର ଉପରେ ଚଢ଼ିଯାଇଛି। ଉଭୟ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବଶତଃ ୧୦ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଅଧୀନ ବଡ଼ପୋଖରୀ-ତୁଡିଗଡ଼ିଆ ରାସ୍ତାକଡ଼ ଡାଲଙ୍ଗ ଗ୍ରାମରେ।
ସୂଚନା ଅନୁସାରେ; ଗତକାଲି ରାତି ପ୍ରାୟ ୧୨ଟା ହେବ। ଏହି ସମୟରେ ଡ୍ରାଇଭର୍‌ ଭାରସାମ୍ୟ ହରାଇବାରୁ ବଡ଼ପୋଖରୀ- ତୁଡିଗଡ଼ିଆ ରାସ୍ତାରେ ଯାଉଥିବା ଓଡି-୦୪-ଏଚ୍‌-୪୦୨୦ ନମ୍ବରର ଏକ ଡମ୍ପର ଡାଲଙ୍ଗ ଗ୍ରାମର ଗିରିଧାରୀ ସାହୁ ଓ ଅଶୋକ କୁମାର ସାହୁଙ୍କ ଘର ଉପରେ ଚଢ଼ିଯାଇଥିଲା। ଫଳରେ ଘର ଦୁଇଟିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେବେ ଉଭୟ ପରିବାରର ୧୦ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡ଼ି ମାଲିକ ଏସ୍‌କେ ଖୁଦିନ ଏବଂ ଡ୍ରାଇଭର୍‌ ମାଣିକେଶ୍ବର ହେମ୍ବ୍ରମଙ୍କୁ ଲୋକେ ଅଟକ ରଖିଥିଲେ। ତେବେ ଗାଡ଼ି ମାଲିକ ଶ୍ରୀ ଖୁଦିନ କ୍ଷତିପୂରଣ ଆକାରରେ ଉଭୟ ପରିବାରକୁ ୩୦ ହଜାର ଟଙ୍କା ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସର୍ଟସର୍କିଟ ଯୋଗୁଁ ଜଳିଗଲା କାର୍‌

ଇବ୍ ଥର୍ମାଲ୍: ସମ୍ବଲପୁର ଯାଉଥିବା ଏକ ଡଷ୍ଟର୍ ଗାଡ଼ି ସ୍ଥାନୀୟ କୁମ୍ଭାରବନ୍ଧ କଲେଜ ନିକଟରେ ସର୍ଟ ସର୍କିଟ ଯୋଗୁଁ ଜଳିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଝାରସୁଗୁଡ଼ାର ଜ୍ୟୋତିଭୂଷଣ ସ୍ୱାଇଁ ବୁଧବାର ରାତିରେ ସମ୍ବଲପୁରରୁ ବ୍ରଜରାଜନଗରକୁ ଏକ ବ୍ୟକ୍ତିଗତ କାମରେ ଯାଉଥିଲେ। ପ୍ରଥମଥର ଏହି ରାସ୍ତାରେ ଯାଉଥିବା ବେଳେ ଗୁଗୁଲ୍ ସହାୟତା ନେଇ ରାସ୍ତା ଖୋଜୁଥିବା ବେଳେ ସାହାଜବାହାଲ କାଳୀମନ୍ଦିର ନିକଟରେ ଏକ ଗଛରେ ଗାଡ଼ିଟି ପିଟି ହୋଇଯାଇ ଥିଲା। କୁମ୍ଭାରବନ୍ଧଫାଣ୍ଡି ପୁଲିସ ଗାଡ଼ିଟିକୁ ଆଣି ଫାଣ୍ଡିରେ ରଖିଥିଲେ। ଗୁରୁବାର ଶ୍ରୀ ସ୍ୱାଇଁ ନିଜର ଡ୍ରାଇଭିଂ ଲାଇସେନ୍ସ ଦେଖାଇବାରୁ ପୁଲିସ ଗାଡ଼ିଟିକୁ ହସ୍ତାନ୍ତର କରିଥିଲା। ମାତ୍ର କଲେଜ ନିକଟରେ ଏକ ଉଠାଣିରେ ଗିଅର ଚେଞ୍ଜ କରିବା ବେଳେ ଗାଡ଼ିରୁ ଧୂଆଁ ବାହାରିଥିଲା। ସେ ତୁରନ୍ତ ଗାଡ଼ିଭିତରୁ ବାହାରି ଆସିଥିଲେ। ଏହାର କିଛି ସମୟ ମଧ୍ୟରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇ ଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।