ଡକାୟତି ଯୋଜନା ବେଳେ ପୁଣି ଧରାପଡ଼ିଲେ ୪ ଅଭିଯୁକ୍ତ, ୨ଦିନରେ ୧୬ ଗିରଫ

ପୁରୀ: ଭୋର୍‌ ସକାଳୁ ଡକାୟତି ପାଇଁ ଉଦ୍ୟମ ଚାଲିଥିବା ବେଳେ ଚୋରଙ୍କ ଆଡ୍ଡା ଉପରେ ପୁରୀ ପୁଲିସ ଅତର୍କିତ ଚଢ଼ଉ କରିଛି। ବାସେଳିସାହି ପୁଲିସ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ଖଣ୍ଡା, ଲୁହା ଛଡ଼, ଲାଠି, ଟର୍ଚ୍ଚ ଲାଇଟ୍‌, ଜୀବନ୍ତ ବୋମା ଓ ଖାଲି ବିଅର୍‌ ବୋତଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ୱର୍ଗତ ପଦି ବେହେରାଙ୍କ ପୁଅ ଦିବାନା ବେହେରା (୨୬), ବୁଢା ବେହେରାଙ୍କ ପୁଅ ସୁବାସ ବେହେରା (୪୩), କୁସିଆ ବେହେରାଙ୍କ ପୁଅ ସର୍ବେଶ୍ୱର ବେହେରା (୩୬) ଓ ସ୍ୱର୍ଗତ ପ୍ରେମା ବେହେରାଙ୍କ ପୁଅ କାଲୁଆ ବେହେରା (୨୫)। ଅଭିଯୁକ୍ତମାନେ ସମସ୍ତେ ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହି ନିବାସୀ।

ପୁଲିସ କହିଛି ଯେ, ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୁଲିସକୁ ସୂଚନା ମିଳିଥିଲା ଯେ, ୩୧୬ ନମ୍ବର ଜାତୀୟ ରାଜପଥର ଓମକାରେଶ୍ୱର ମନ୍ଦିର ଜଙ୍ଗଲ ନିକଟରେ ଡକାୟତି ପାଇଁ ଯୋଜନା ଚାଲିଛି। ସୂଚନା ମିଳିବା ପରେ ପୁଲିସ ଅତର୍କିତ ଚଢ଼ଉକରି ଅଭିଯୁକ୍ତମାନଙ୍କ ଠାରୁ ଡକାୟତି ପାଇଁ ବ୍ୟବହାର କରିବାକୁ ଥିବା ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏଥି ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ପୁରୀ ପୁଲିସ ଦ୍ୱାରା ବିଗତ ୨ ଦିନ ମଧ୍ୟରେ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୦ ଜଣ ଡକାୟତି ଯୋଜନା ସହିତ ସଂପୃକ୍ତ ଥିବା ବେଳେ ଅନ୍ୟ ଜଣ ଦାଦାବଟି ମାମଲା ସହିତ ଜଡ଼ିତ ଅଛନ୍ତି। ପୁରୀ ଟାଉନ୍‌ ଥାନା ପୁଲିସ ଦ୍ୱାରା ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିଭଳି ଚନ୍ଦନପୁର ଥାନା ଦାଦାବଟି ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର