ଯୁଯୁମୁରା : ତିନି ମାସରେ ୪ ହାତୀ ମୃତ

ବିଦ୍ୟୁତ ଆଘାତରେ ୨, ଟ୍ରେନ୍‌ ଧକ୍କାରେ ୨

ଯୁଯୁମୁରା : ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଯୁଯୁମୁରା ସେକ୍‌ସନ୍‌ ଅଧୀନ କଂସର ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି। ଗୁରୁବାର ମଧ୍ୟାହ୍ନରେ ଏହା ଜଣା ପଡ଼ିଥିଲେ ହେଁ ୩ ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ସମୟରେ ଜଣାପଡ଼ିଛି। ଏହାକୁ ମିଶାଇ ଗତ ୩ ମାସରେ ସଦର ରେଞ୍ଜରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ୨ ହାତୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ୨ ହାତୀଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। ମୃତ ହାତୀଙ୍କ ମଧ୍ୟରେ ୩ ଦନ୍ତା ଓ ଗୋଟିଏ ମାଈ ହାତୀ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ କଂସର ଜଙ୍ଗଲରେ ମୃତ ହାତୀର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ମୃତଦେହ ବ୍ୟବଚ୍ଛେଦ କରିଥିବା ପ୍ରାଣୀଧନ ଚିକିତ୍ସକ ମତ ଦେଇଛନ୍ତି। ବିଦ୍ୟୁତ୍‌ ଆଘାତ ଏପରି ଥିଲା ଯେ ହାତୀର ଶୁଣ୍ଢ ଛିଣ୍ଡି ଯାଇଥିଲା। ଶକ୍ତ ବିଦ୍ୟୁତ ଆଘାତ ଯୋଗୁଁ ହାତୀ ଶରୀରର ଅଧିକାଂଶ ଅଂଶ ଜଳି ଯାଇଥିଲା। ଆଭ୍ୟନ୍ତର ଅଙ୍ଗ ମଧ୍ୟ ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ଏହି ଜଙ୍ଗଲରେ ଥିବା ହାତୀ ପଲ ମଧ୍ୟରୁ ଏହି ହାତୀଟି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା। ଖବର ପାଇ ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର, ଏସିଏଫ ମଦନ ଲାଲ ଶର୍ମା, ସଦର ରେଞ୍ଜର୍‌ ଗୌରୀଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତେବେ ହାତୀର ମୃତ୍ୟୁ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ହୋଇଥିବା ଜଣାପଡ଼ିବା ପରେ ହାତୀବାରି ସେକ୍ସନ ଜେଇ ଉମାକାନ୍ତ ଶତପଥୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପଲରେ ଥିବା ଗୋଟିଏ ହାତୀ ଗଛ ଡାଳ ଭାଙ୍ଗିବା ବେଳେ ତାହା ବିଦ୍ୟୁତ୍‌ ତାର ଉପରେ ପଡ଼ିଥିଲା ଓ ଜୀବନ୍ତ ବିଦ୍ୟୁତ୍‌ ତାର ତଳକୁ ଝୁଲି ଯାଇଥିଲା। ଗଛ ପଡ଼ିବା ପରେ ବିଦ୍ୟୁତ ତାର ଭୂମିଠାରୁ ମାତ୍ର ୬ ଫୁଟ୍‌ ଉଚ୍ଚତାକୁ ଝୁଲି ଆସିଥିଲା। ଫଳରେ ହାତୀଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଇଂ ଶତପଥୀଙ୍କ କହିବା ଅନୁଯାୟୀ ତାର ଠିକ୍‌ ଉଚ୍ଚତାରେ ଥିଲା। ଗଛ ପଡ଼ିବା ଫଳରେ ତାହା ତଳକୁ ନଇଁ ଆସିଥିଲା। ତାର ଟାଣି ହୋଇଯିବାରୁ ଖୁଣ୍ଟ ସାମାନ୍ୟ ନଇଁଯାଇଛି। ଆସନ୍ତା କାଲିଠାରୁ ଏହାର ମରାମତି ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର ମୃତ ହାତୀର ବ୍ୟବଚ୍ଛେଦ କରା ଯାଇଥିଲା। ଯୁଯୁମୁରା ବିଭିଓ ଡା. ରବୀନ୍ଦ୍ର ହୋତା, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ସତ୍ୟଜିତ ପଣ୍ଡା, ଚିପିଲିମାସ୍ଥିତ ଷ୍ଟେଟ୍‌ ଭେଟେରିନାରି ଲାବୋରୋଟାରିର ଡା. ଶୁଭଙ୍କର ସେଠୀ, ପ୍ରାଣୀଧନ ନିରୀକ୍ଷକ ମହେଶ ଦୀପ, ଅଜୟ ପ୍ରଧାନ ପ୍ରମୁଖ ପହଞ୍ଚି ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ସମୟରେ ହାତୀ ଶୁଣ୍ଢର ଅଗ୍ରଭାଗରୁ ୧୩ ସେଣ୍ଟିମିଟର ଅଂଶ ପୋଡ଼ି ସଂପୂର୍ଣ୍ଣ ଛିଣ୍ଡି ଯାଇ ନିକଟରେ ପଡ଼ିଥିଲା। ବ୍ୟବଚ୍ଛେଦ ସମୟରେ ଦୁର୍ଗନ୍ଧ ବାହାରୁ ଥିବାରୁ ହାତୀର ମୃତ୍ୟୁ ୭୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୧୯ ତାରିଖ ଦିନ ହୋଇଥିବା ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍ ପକ୍ଷରୁ ଅନୁମାନ କରାଯାଇଛି। ସେହିପରି ହାତୀର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ବ୍ୟବଚ୍ଛେଦ ପରେ ସେହିଠାରେ ହିଁ ମୃତଦେହକୁ ପୋତି ଦିଆ ଯାଇଥିଲା। ଅପରପକ୍ଷରେ ହାତୀର ମୃତ୍ୟୁ ୨୦ ତାରିଖ ସଂଧ୍ୟାରେ ବା ରାତିରେ ହୋଇଥିବା ଓ ତା’ ବୟସ ୧୨ ବର୍ଷ ବୋଲି ସମ୍ବଲପୁର ଡିଏଫ୍‌ଓ ସଂଜିତ କୁମାର ସୂଚନା ଦେଇଛନ୍ତି। ହାତୀର ବୟସ ଓ ମୃତ୍ୟୁ ସମୟକୁ ନେଇ ବନ ଅଧିକାରୀ ଓ ପ୍ରାଣୀ ଚିକିତ୍ସକଙ୍କ କଥାରେ ତାଳମେଳ ନ ରହିବା ସଂଦେହ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ ୩୦ରେ ସଦର ରେଞ୍ଜ ଅଧୀନ ବସିଆପଡ଼ା ସେକ୍‌ସନ୍‌ ଯାଦୁଲୋଇସିଂ ବିଟ୍‌ ଅନ୍ତର୍ଗତ ବିଛଲୁ ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିଲା। ଡିସେମ୍ବର ମାସ ୫ ତାରିଖରେ ଗଡ଼ଗଡ଼ବାହାଲ ଓଭରବ୍ରିଜ୍‌ ନିକଟରେ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ମୃତ ହାତୀର ବୟସ ୧୨ ବର୍ଷ ଥିଲା। ସେହି ମାସ ୨୧ ତାରିଖରେ ଏହି ରେଞ୍ଜ ଅଧୀନରେ ମାନେଶ୍ବର ଓ ହାତୀବାରି ରେଳ ଷ୍ଟେସନ୍‌ ମଧ୍ୟରେ ପୁରୀ-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌ ଧକ୍କାରେ ଅନ୍ୟ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏଥିରେ ହାତୀଟି ଖଣ୍ଡଖଣ୍ଡ ହୋଇ ଯାଇଥିଲା । ଫଳରେ ଏହି ରାସ୍ତାରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଶେଷ କରି ଏହି ସଦର ବନାଞ୍ଚଳ ଅଧୀନରେ ବିଦ୍ୟୁତ୍‌ ଓ ଟ୍ରେନ୍‌ ଧକ୍କାରେ ହାତୀମାନଙ୍କ ଅକାଳ ମୃତ୍ୟୁ ଘଟଣା ବନ ବିଭାଗ ଏବଂ ବନ୍ୟପ୍ରାଣୀପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସମ୍ବନ୍ଧିତ ଖବର