ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟବଜାର ନିକଟରେ ଭାରସାମ୍ୟ ହରାଇ ଏକ ଏକ୍ସୟୁଭି କାର୍‌ (ଓଡି-୧୪-ଡବ୍ଲୁ-୪୪୪୫)ଓଲଟି ପଡ଼ିଛି। ଏଥିରେ ଥିବା ଚାଳକଙ୍କ ସମେତ ୪ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଭୁବନେଶ୍ବରରୁ ଅଭେଦାନନ୍ଦ ଦାସ ପରିବାର ସହ କାର୍‌ରେ ଟେନ୍‌ସା ଯାଉଥିଲେ। ଅପରାହ୍‌ଣ ୫ଟାବେଳେ ପଦ୍ମପୁର ବଜାରର ବାମପାର୍ଶ୍ବରେ ଥିବା ବୁଟିନନା ଜଳଖିଆ ଦୋକାନ ନିକଟରେ ଏକ ବସ୍ ଯାତ୍ରୀମାନଙ୍କୁ ଓଲ୍ଲାଉଥିଲା। ଦ୍ରୁତଗତିରେ ଆସୁଥିବା କାର୍‌ଟି ଡାହାଣ ପଟେ ଓଭରଟେକ୍‌ କରିଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ ତାକୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଓଲଟ ପଡ଼ିଥିଲା।

Advertisment

ଦୁର୍ଘଟଣା ପରେ ବହୁ ସମୟ ଧରି ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। କେନ୍ଦୁଝର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ଥାନାକୁ ଆଣି ତଦନ୍ତ ଚଳାଇଛି। ସେହିପରି ପଳାଶପଙ୍ଗା ଓଭରବ୍ରିଜ ଉପରେ ବ୍ରେକ୍‌ଡାଉନ୍‌ ହୋଇ ଛିଡ଼ା ହୋଇଥିବା ହାଇୱା ପଛରେ ମା’ ନାମକ ଏକ ଘରୋଇ ବସ୍ ଧକ୍କା ହୋଇଛି। ଫଳରେ ଗାଡ଼ିର ସାମ୍ନାଭାଗ ଭାଙ୍ଗିରୁଜି ଯାଇଛି। ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବସ୍‌ଟି ଭୁବନେଶ୍ବରରୁ ବଲାଣି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପଳାଶପଙ୍ଗା ଫାଣ୍ଡି ଅଧିକାରୀ ମାନସ ରଞ୍ଜନ ପଣ୍ତା ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।