ରିଆମାଳ/ବୀରମହାରାଜପୁର/ପଦ୍ମପୁର/ଚମ୍ପୁଆ: ଅସ୍ୱାଭାବିକ ଭାବେ ୩ ଜିଲ୍ଲାରେ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି | ପ୍ରଥମ ଘଟଣା ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ଡି ଅନ୍ତର୍ଗତ କୁସଖଳିଆ ଗ୍ରାମରେ ଘଟିଛି | ପୋଖରୀରେ ବୁଡ଼ି ସେହି ଗ୍ରାମର ହାଡ଼ିବନ୍ଧୁ ଶବର (୪୦)ଙ୍କ ମୃତ୍ୟୁ ଘଟିଛି। ହାଡ଼ିବନ୍ଧୁ ଚାଷ କାର୍ଯ୍ୟ ପାଇଁ ସକାଳୁ ଜମିକୁ ଯାଇ ଥିଲେ। କାମ ସାରିବା ପରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ମାତ୍ର ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ଚାରିଆଡେ଼ ଖୋଜା ଖୋଜି କରିଥିଲେ। ପରେ ପୋଖରୀ ଭିତରୁ ଉଦ୍ଧାର କରାଯାଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ବିଲରେ କାମ କରୁଥିବା ବେଳେ ଟଳିପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କଳାପଥର ପଞ୍ଚାୟତ ବାବୁପାଲି ଗାଁର ଚାଷୀ ଗୌର ଚରଣ ସାହୁ (୫୨ବର୍ଷ)। ଗୌର ନିଜ ସ୍ତ୍ରୀ ସହିତ ଧାନକ୍ଷେତରେ କାମ କରୁଥିଲେ। ଏହି ସମୟରେ ସେ ହଠାତ୍ ଟଳିପଡ଼ିଥିଲେ।

Advertisment

ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏଏସ୍‌ଆଇ ପ୍ରଦୀପ ସାହୁ କହିଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଗୋହାଲଡିହି ଗ୍ରାମର ଚାଷଜମିରେ ଜମିଥିବା ବର୍ଷାପାଣିରେ ପଡ଼ି ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଗ୍ରମର କୁବେର ମୁଣ୍ତାଙ୍କ ପୁଅ ମଙ୍ଗୁଳୁ ମୁଣ୍ତା (୩୨)। ଗତକାଲି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ମଙ୍ଗୁଳୁ ନିଜ ଚାଷଜମିକୁ ଯାଇଥିଲେ। ମୁଣ୍ତ ବୁଲାଇବାରୁ ବିଲ ଜମିଥିବା ପାଣିରେ ମୁହଁମାଡ଼ି ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଲରେ କାମ କରୁଥିବା ବେଳେ ଜଣେ ଚାଷୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପୁଆ ଥାନା ହୃଦରାମପୁର ଗ୍ରାମର ସତ୍ୟାନନ୍ଦ ନାଏକ (୫୦)। ସତ୍ୟାନନ୍ଦ ପ୍ରତିଦିନ ପରି ସକାଳେ ବିଲକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବିଲରେ ଜମିଥିବା ପାଣି ଭିତରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇଛି।