ରାୟଗଡ଼ା: କାଶୀପୁର ବ୍ଲକରେ ପୁଣି ଏକ ଜନନୀ ଯନ୍ତ୍ରଣା ଲୋକଲୋଚନକୁ ଆସିଛି । ଗାଁ କୁ ରାସ୍ତା ନ ଥିବାରୁ ଭାରରେ ବୁହା ହୋଇ ମେଡିକାଲ ଆସିଛନ୍ତି ଜଣେ ଗର୍ଭବତୀ । ପାହାଡିଆ ରାସ୍ତା ସହିତ ନଦୀ, ନାଳ ଡେଇଁ ଆସିବା ପରେ ଟିକିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଗର୍ଭବତୀ। ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁନ୍ଦରୁସିଲ ଗ୍ରାମର ପରମା ମାଝି ଙ୍କର ସ୍ତ୍ରୀ କଳ୍ପନି ମାଝି(୨୦) ଆଜି ସକାଳେ ପ୍ରାୟ ୮ ଘଣ୍ଟିକା ସମୟରେ ପ୍ରସବ ଜନିତ ପୀଡା ଅନୁଭବ କରିଥିଲେ। ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ଗାଁଠୁ ୪କିମି ଦୂରରେ ଅଟକି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାୟକଙ୍କ ସମେତ ଗର୍ଭବତୀ କଳ୍ପନିଙ୍କ ସ୍ୱାମୀ ଓ ଗ୍ରାମବାସୀ ଗର୍ଭବତୀଙ୍କୁ ୪କିମି ଭାରରେ ବୋହି ଆଣିବା ପରେ ବେଲଗଛ ଛକରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଯୋଗେ ଟିକିରି ମେଡିକାଲକୁ ନିଆ ଯାଇଥିଲା। ଗ୍ରାମରୁ ପ୍ରାୟ ୨୫ କିମି ଦୂର ଟିକିରି ମେଡିକାଲରେ ପହଂଚିବା ପରେ କଳ୍ପନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କାଶୀପୁର ବ୍ଲକରେ ଏଭଳି ସ୍ଥିତି ବାରମ୍ବାର ଘଟୁଥିଲେ ମଧ୍ୟ ବହୁ ଗାଁକୁ ରାସ୍ତା ନଥିବାରୁ ଜନନୀ ଯନ୍ତ୍ରଣା ଥମୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/56249dce-1439-4d66-b613-335a00979f22.jpg)