ରାଇରଙ୍ଗପୁର/ତିରିଂ: ଜାତୀୟ ରାଜପଥ କଡରେ ଥିବା ଏକ ବାଇକ ପାର୍ଟସ ଦୋକାନରୁ ତିନି ଜଣ ଲୁଟେରା ସଟର ତାଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ତିରିଂ ଥାନା ଅନ୍ତର୍ଗତ ରତନସାହିଠାରେ ଜାତୀୟ ରଜପଥ କଡରେ ଥିବା ଭୀମ ଅଟୋ ପାର୍ଟସ ଦୋକାନକୁ ମଙ୍ଗଳବାର ବିଳମ୍ବିତ ରାତିରେ ତିନି ଜଣ ଲୁଟେରା ଏକ ଗାଡିରେ ଆସି ପହଞ୍ଚିଥିଲେ । ପରେ ଦୁଇ ଜଣ ଲୁଟେରା ସଟର ତାଡି ଭିତରକୁ ପଶିଥିଲେ ।

Advertisment

ଲୁଟେରାମାନେ ଦୋକାନ ଭିତରୁ ୮୦ରୁ ଅଧିକ ଟାୟାର, ବ୍ୟାଟେରୀ, ଚେନ ପ୍ରୋକେଟ ଓ ଅନ୍ୟ ସାମଗ୍ରୀ ଚୋରି କରି ଚମ୍ପଟ ମାରିଥିଲେ। ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ସକାଳୁ ଦୋକାନ ମାଲିକ ସତ୍ୟ ନାରାୟଣ ସାହୁ ଦୋକାନ ଖୋଲିବା ବେଳେ ଚୋରି ହୋଇଥିବା ଜାଣିପାରିଥିଲେ। ପରେ ସେ ତିରିଂ ଥାନାରେ ଲିଖତ ଅଭିଯୋଗ କରିଥିଲେ । ସମ୍ପୂର୍ଣ୍ଣ ଚୋରି ଘଟଣାକ୍ରମର ଭିଡିଓ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି ।

ଭିଡିଓରେ ଲୁଟେରାମାନଙ୍କ ଚେହେରା ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ପୁଲିସ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ଯାଞ୍ଚ କରୁଛି । ଲୁଟେରାମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରୁଛି । ଏନେଇ ତିରିଂ ଥାନାରେ କେସ ନଂ ୮୪/୨୩ ରେ ଏକ ଚୋରି ମାମଲା ରୁଜ୍ଜୁ ହୋଇଛି ।